ଫୁଲୁଛି ମହାନଦୀ, ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ
ସମ୍ବଲପୁର : ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ମହାନଦୀରେ ଛୋଟ ଧରଣର ବନ୍ୟା ଦେଖାଦେଇଛି । କଟକ ବାଙ୍କୀ ନିକଟ ହୁଳୁହୁଳା ପୋଲ ଉପରେ ତିନି ଫୁଟର ପାଣି ପ୍ରବାହିତ ହେଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ହୀରାକୁଦ ଜଳଭଣ୍ଡାରର ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଚଳିତ ବର୍ଷ ମହାନଦୀରେ ଏହା ଚତୁର୍ଥ ଛୋଟ ବନ୍ୟା ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୮.୧୯ ଫୁଟ ରହିଛି (ସର୍ବୋଚ୍ଚ ଧାରଣ କ୍ଷମତା ୬୩୦ ଫୁଟ) ରହିଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୬ ଲକ୍ଷ ୪୮ହଜାର ୫୩୯ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ୨୮ଟି ଗେଟ୍ ଦେଇ ପ୍ରାୟ ୪.୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି ।
କଟକର ମୁଣ୍ଡଳୀ ବ୍ୟାରେଜ୍ ନିକଟରେ ଜଳପ୍ରବାହ ପ୍ରାୟ ୭.୫୪ ଲକ୍ଷ କ୍ୟୁସେକ ରହିଛି, ଯାହା ଆଗକୁ ପ୍ରାୟ ୮ ଲକ୍ଷ କ୍ୟୁସେକ ଛୁଇଁବା ଆଶଙ୍କା ରହିଛି ।
ବନ୍ୟା ସ୍ଥିତି ଉପରେ ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛନ୍ତି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ମହାନଦୀ କୂଳିଆ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ନଦୀ ଭିତରକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।




