ମା' ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ
ଏହି ରୂପରେ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ
ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ଏହା ଏକ ଅତି ପବିତ୍ର, ଦୁର୍ଲଭ ଓ ପ୍ରସିଦ୍ଧ ପରମ୍ପରା । ପ୍ରତିବର୍ଷ ପବିତ୍ର ମହାଳୟା ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କୁ ଏହି ଦିବ୍ୟ ଶ୍ୱେତ ରୂପରେ ସଜ୍ଜିତ କରାଯାଏ । ମଧ୍ୟରାତ୍ରରୁ ମା'ଙ୍କର ବେଶ କରାଯାଇ ସକାଳ ସମୟରେ ସମ୍ପନ୍ନ ହୋଇଥିଲା । ବର୍ଷତମାମ ସିନ୍ଦୂର ବର୍ଣ୍ଣରେ ଦର୍ଶନ ଦେଉଥିବାବେଳେ ମହାଳୟା ଦିନ ଶ୍ୱେତବର୍ଣ୍ଣରେ ଦର୍ଶନ ଦିଅନ୍ତି ମା' । ଏହାକୁ ଗଙ୍ଗା ଦର୍ଶନ ବେଶ ତଥା ମା’ ସରସ୍ୱତୀଙ୍କ ବେଶ ବୋଲି କୁହାଯାଇଥାଏ । 'ଗଙ୍ଗା ଦର୍ଶନ ବେଶ' ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି ଯେ, ଯେଉଁମାନେ ପବିତ୍ର ମହାଳୟାରେ ଗଙ୍ଗା ସ୍ନାନ କରିପାରନ୍ତି ନାହିଁ, ସେମାନେ ମା'ଙ୍କର ଏହି ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ସମାନ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ।
ବର୍ଷରେ ଥରେ ମାଆ ଧବଳମୁଖୀ ବେଶରେ ଦର୍ଶନ ଦେଉଥିବାରୁ ମନ୍ଦିର ଏବଂ ମନ୍ଦିର ବାହାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ରୂପରେ ଅଢେଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ୱରୀ । ଏହି ପବିତ୍ର ଦିନଠାରୁ ହିଁ ମା'ଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ସହ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ରୀର ଆରମ୍ଭ ହୋଇଥାଏ। ମା'ଙ୍କର ଏହି ଶାନ୍ତ ଓ ସ୍ନିଗ୍ଧ ଶ୍ୱେତ ସ୍ୱରୂପ ଭକ୍ତଙ୍କ ମନରେ ଅପୂର୍ବ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରିଥାଏ ।
ଆଜି ପୂଜକ ମାନେ ମଧ୍ୟ ଧଳା ରଙ୍ଗର ବସ୍ତ୍ର ପରିଧାନ କରି ମା’ଙ୍କର ଆଳତି ସହ ପୂଜା କରୁଛନ୍ତି । ସେହିପରି ଆଜି ସମଲେଶ୍ୱରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଜଣେ ଅତିରିକ୍ତ ଏସପି, ୨ ଜଣ ଡ଼ିଏସପିଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର , ୪ଜଣ ଏସଆଇ ସହ ୫ ସେକ୍ସନ ଫୋର୍ସ ମୁତୟନ ହେଇଛନ୍ତି ।




