ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ,୮ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଝଡତୋଫାନ, ବଜ୍ରପାତ ନେଇ ଆଜି ୮ ଜିଲ୍ଲାକୁ ସତକର୍ତା ଜାରି ହୋଇଛି । ୨୪ ତାରିଖ ପାଇଁ ୩ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସୂଚନା ମୁତାବକ ଆଜିଠାରୁ ଦୁଇ ଦିନ ଧରି ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଦୃଶ୍ୟମାନ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ସୁସ୍ପଷ୍ଟ ହେବ ।
ବିଶେଷକରି ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଯାଜପୁର, ଖୋର୍ଦ୍ଧା ଏବଂ ପୁରୀରେ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ଝଟକା ପବନ ମଧ୍ୟ ହେବାର ପୂର୍ବାନୁମାନ କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।



