ଅବପାତ ରୂପ ନେଲା ଲଘୁଚାପ ,୫ ଦିନ ଧରି ଲାଗି ରହିବ ବର୍ଷା

ବାତ୍ୟା ସମ୍ଭାବନା ନାହିଁ

ଅବପାତ ରୂପ ନେଲା ଲଘୁଚାପ ,୫ ଦିନ ଧରି ଲାଗି ରହିବ ବର୍ଷା
Samaya Live News Picture
Published On

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ (Depression)ର ରୂପ ନେଇଛି, ଯାହା ଫଳରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅବପାତ
୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା । ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଆଜି ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବିଶେଷକରି ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅବପାତ ର ଗତିପଥ ଏବଂ ତୀବ୍ରତା ଉପରେ ନଜର ରଖିଛି ପାଣିପାଗ ବିଭାଗ । 

ସିଷ୍ଟମଟି ଉପକୂଳର କେଉଁ ସ୍ଥାନରେ ପହଞ୍ଚିବ କିମ୍ବା ସ୍ଥଳଭାଗ ଅତିକ୍ରମ କରିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଆକଳନ ଜାରି ହୋଇନାହିଁ। ଏହା ବାତ୍ୟାରେ ପରିଣତ ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ। ତେବେ ସିଷ୍ଟମ ପ୍ରଭାବରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ବଢ଼ିପାରେ। ଯଦି ସମୁଦ୍ରରେ ଅନୁକୂଳ ବାତାବରଣ ରହେ, ତେବେ ଛୋଟ ବାତ୍ୟାରେ ପରିଣତ ହୋଇ ଦ୍ରୁତ ଗତିରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଯଦି ବି ଏହା ବାତ୍ୟା ରୂପ ନେବେ ତେବେ ଏହାର ପ୍ରଭାବ ସମୁଦ୍ରରେ ରହିବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନ ବେଗ ହ୍ରାସ ପାଇବ । ବର୍ଷା ସହିତ ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି।

Tags: