ଲଘୁଚାପ ସକ୍ରିୟ ,୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ସକ୍ରିୟ ,୨ ଦିନ ପ୍ରବଳ ବର୍ଷା ସମ୍ଭାବନା
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବର୍ଷା ଉଭାନ ହୋଇଥିବାବେଳେ ପଛକୁ ପଛ ଲାଗି ରହିଛି ଲଘୁଚାପ । ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ଗତକାଲି ଠାରୁ ସକ୍ରିୟ ରହିବା ଫଳରେ ଆଗକୁ ୨ ଦିନ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା - ପଶ୍ଚିମବଙ୍ଗ ଉପକୂଳରେ ଏହି ଲଘୁଚାପ କ୍ଷେତ୍ର (Low Pressure Area) ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଏହି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଗାମୀ ୨ ଦିନ ପର୍ଯ୍ୟନ୍ତ ବେଶ୍ ସକ୍ରିୟ ରହିବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଦେଇ ଧୀରେ ଧୀରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି।

ଗତ କାଲିଠାରୁ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ଉପକୂଳ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିପାରେ । ବିଶେଷ କରି ଜଗତସିଂହପୁରରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ,ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ମଧ୍ୟ ବୃଦ୍ଧି ପାଇପାରେ ।  

ଲଘୁଚାପର ଗତିପଥକୁ ନଜରରେ ରଖି ଚାଷୀ ଏବଂ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି ମତ୍ସ୍ୟଜୀବୀମାନଙ୍କୁ ଆଗାମୀ ୨ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ସେପଟେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଆଜି ମଧ୍ୟ ଭଦ୍ରକ ଜିଲ୍ଲା ବେହାଲ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଏବଂ ପୁରୀ ଜିଲ୍ଲାରେ ଶିଶୁ ବାଟିକା ଠାରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତକାଲି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ସୂଚନା ଦେଇଛନ୍ତି । ବର୍ଷା ଓ ଜଳବନ୍ଦୀ ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Tags: