ଆସନ୍ତା କାଲି ଠାରୁ ପୁଣି ଲଘୁଚାପ, ୩ ଦିନ ଧରି ଭିଜିବ ରାଜ୍ୟ
ଭୁବନେଶ୍ୱର : ସୃଷ୍ଟି ହେଲା ଲଘୁଚାପ । ଆସନ୍ତା କାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପୁଣି ଲଘୁଚାପ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରଭାବରେ ଓଡ଼ିଶାରେ ବୁଧବାରଠାରୁ ବର୍ଷାର ପରିମାଣ ବଢ଼ିବା ସହିତ ୧୨ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୩ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ସପ୍ତାହେ ଧରି ରାଜ୍ୟରେ ତାପମାତ୍ରା ଉପରମୁହଁା ଥିବାବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ବୁଧବାରଠାରୁ ପାଣିପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ଦିଆଯାଇଛି ।
ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସହିତ ଝଟକା ପବନ ଦେଖିବାକୁ ମିଳିବ । ପବନ ବେଗ କେତେକ ସ୍ଥାନରେ ୩୦ରୁ ୪୦କିମି ପ୍ରତି ଘଣ୍ଟା ରହିବ । ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ଼, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।




