ପୁଣି ଲଘୁଚାପ, ସପ୍ତାହେ ଧରି ଭିଜିବ ଓଡିଶା
ଭୁବନେଶ୍ବର : ଲଗାତାର ଲଘୁଚାପ ବର୍ଷାରେ ହନ୍ତସନ୍ତ ପରେ ଲାଗିଥିଲା ସାମୟିକ ବ୍ରେକ । ପୁଣି ଆଗକୁ ସପ୍ତାହେ ଧରି ଭିଜିବ ଓଡିଶା । ବଙ୍ଗୋପସାଗରରେ ପଛକୁ ପଛ ପୁଣି ଆସୁଛି ଆଉ ୨ଟି ଲଘୁଚାପ । ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ଓଡ଼ିଶାରେ ପୁଣି ସକ୍ରିୟ ହେବ ବର୍ଷା । ୨୪ରୁ ୨୭ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ପାଇଁ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ ।
ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଓ ବାଂଲାଦେଶ ନିକଟରେ ଥିବା ଘୂର୍ଣ୍ଣିବଳୟ ମିଶି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ । ସମ୍ଭବତଃ ୨୩ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୨ ତାରିଖ ରାତିରୁ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି । ତେଣୁ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ା ଓ ଗଜପତିକୁ ଆଲର୍ଟ କରାଯାଇଛି । ବାକି ସବୁ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । IMDର ଆକଳନ ଅନୁସାରେ ୨୪ରୁ ୨୭ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା । ଉତ୍ତର ଓଡ଼ିଶା ଏବେ ବନ୍ୟା ପ୍ରଭାବିତ ହୋଇଛି । ସୁବର୍ଣ୍ଣରେଖା ବନ୍ୟା ଯୋଗୁ ପ୍ରଭାବିତ ଅଞ୍ଚଳରେ ଚାଲିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ । ତେଣୁ ପୁଣି ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳ ଓ ଜଳ ନିଷ୍କାସନ ସମସ୍ୟା ଥିବା ସ୍ଥାନଗୁଡ଼ିକ ଉପରେ ଅଧିକ ନଜର ରହିବ।




