ମଦ ଦୋକାନ ନବୀକରଣ ପାଇଁ ହେବ ଲଟେରୀ
ଭୁବନେଶ୍ୱର : ମଦ ଦୋକାନ ପାଇଁ ଲଟେରୀ ହେବ । ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ଲଟେରୀ ପ୍ରକ୍ରିୟା ଆରମ୍ଭ ହେବ । ଏସମ୍ପର୍କରେ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ନବୀକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ଆବଶ୍ୟକ ପଡ଼ିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ, କିନ୍ତୁ ସ୍ବଚ୍ଛ ପ୍ରକ୍ରିୟା ହେବ। ଗତଥର ଲଟେରୀ ପାଇଥିବା ଦୋକାନ ଗୁଡ଼ିକର ସମୟସୀମା ୩୧ରେ ସରୁଛି । ୩ ଷ୍ଟାରରୁ ଅଧିକ ହୋଟେଲରେ ବାର୍ର ପ୍ରାବଧନ ଥିବାରୁ ଅନ ସପ ଅନୁମତି ମିଳିବ । ସେହିପରି ୨୧ ବର୍ଷରୁ କମ୍ ବ୍ୟକ୍ତି, ଏକାଧିକ ଅପରାଧ ମାମଲା କିମ୍ବା ଦୋଷୀ ସାବ୍ୟସ୍ତ ହୋଇଥିଲେ ମଦ ଦୋକାନ ପାଇଁ ଲଟେରି ଆବେଦନ କରିପାରିବେ ନାହିଁ । ଯେଉଁମାନଙ୍କ ନାଁରେ ପୂର୍ବରୁ ମଦ ଦୋକାନ ଥିଲା ସେମାନେ ଏମ୍ଜିକ୍ୟୁ (ମିନିମମ୍ ଗ୍ୟାରେଣ୍ଟିଡ୍ କୋଟା) ପୂରଣ କରି ନଥିବେ ତାଙ୍କ ଆବେଦନକୁ ଖାରଜ କରାଯିବ ।
୨୦୨୧ ମସିହା ଏପ୍ରିଲ୍ ମାସରେ ଯେଉଁମାନେ ଲଟେରି ମାଧ୍ୟମରେ ମଦ ଦୋକନ ପାଇଥିଲେ ସେମାନଙ୍କର ଆସନ୍ତା ୩୧ରେ ୫ ବର୍ଷ ଅବଧି ସରୁଛି । ନୂଆ ଲଟେରୀ ପାଇଁ ସମୟ ଆବଶ୍ୟକ ଥିବାରୁ ଏହାକୁ ନଜରରେ ରଖି ସରକାର ସେ ସବୁ ମଦ ଦୋକାନକୁ ଦୁଇ ମାସ ଅଧିକ ଦୋକାନ ଚଲାଇବାକୁ ଅନୁମତି ଦେଇଛନ୍ତି ।
ରାଜ୍ୟରେ ୧୧୪୦ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ ୨୦୦ଟି ଦେଶୀ ମଦ ଦୋକାନ ରହିଛି । ଏହି ସବୁ ଦୋକାନଗୁଡ଼ିକୁ ସରକାର ରାଜ୍ୟ ପାନୀୟ ନିଗମ(ଓଏସ୍ବିସି) ଜରିଆରେ ମଦ ଯୋଗାଉଛନ୍ତି ।
ସୂଚନାନୁସାରେ, ଗୁରୁବାର ରାଜ୍ୟ ସରକାର ନୂଆ ତ୍ରୈବାର୍ଷିକ ଅବକାରୀ ନୀତି ୨୦୨୬-୨୯ ଘୋଷଣା କରିଛନ୍ତି । ଏହି ଅବଧି ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ଲାଗୁହେବ



