ଲୋକସେବା ଭବନ ପରିସର ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ
ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷିଦ୍ଧ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ତମାଖୁ ସେବନ ବିରୋଧୀ ଅଭିଯାନକୁ ଆହୁରି ସୁଦୃଢ଼ କରାଯାଉଛି । ଆଗାମୀ ପିଢ଼ିକୁ ଏକ ସୁସ୍ଥ ଜୀବନ ଓ ସଠିକ୍ ବାର୍ତ୍ତା ଦେବା ପାଇଁ ସରକାର ସର୍ବଦା ତତ୍ପର ଅଛନ୍ତି।
ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟର ସମ୍ମୁଖୀନ ହେବାକୁ ପଡ଼ିବ ।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ତମାଖୁ ବ୍ୟବହାର କ୍ୟାନ୍ସର, ହୃଦ୍ରୋଗ ଓ ଫୁସଫୁସଜନିତ ରୋଗ ସମେତ ବିଭିନ୍ନ ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ । ତମାଖୁ ବ୍ୟବହାର ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଏହି ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ‘ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ’ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଏହାର ଉଦ୍ଦେଶ୍ୟ । ଆଗାମୀ ପିଢ଼ିକୁ ଏକ ସୁସ୍ଥ ଜୀବନ ଓ ସଠିକ୍ ବାର୍ତ୍ତା ଦେବା ପାଇଁ ସରକାର ସର୍ବଦା ତତ୍ପର ଅଛନ୍ତି । ତମାଖୁ ବ୍ୟବହାରରୁ ସମ୍ପୂର୍ଣ୍ଣ ବିରତି ପାଇଁ ଆଗାମୀ ଦିନରେ ମଧ୍ୟ ଆମର ପ୍ରୟାସ ଜାରି ରହିବ ।




