ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି

ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି
Samaya Live News Picture
Published On

ଭୁବନେଶ୍ୱର : ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ମହାଦେବ ।  ଗତକାଲି ମକର ସଂକ୍ରାନ୍ତି ଭଳି ପବିତ୍ର ଦିବସରେ ଦିଅଁଙ୍କୁ ଅପୂଜା ଓ ଉପବାସ ରହିବାକୁ ପଡିଥିଲା। ଦୁଇ ସେବାୟତ ନିଯୋଗଙ୍କ ବିବାଦ ଯୋଗୁଁ ଦିଅଁ ଉପବାସ ରହିବାକୁ ନେଇ ଅଗଣିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ଣଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ବନ୍ଦ ଥିଲା ନୀତିକାନ୍ତି । ମକର ସଂକ୍ରାନ୍ତିରେ ଘୃତ କମଳ ଲାଗି ହୋଇପାରିନି କି ମକର ଚାଉଳ ଭୋଗ ହୋଇନି।

ଗତବର୍ଷ ମକର ସଂକ୍ରାନ୍ତିରେ ଏହି ବିବାଦ ଉଠିଥିବାବେଳେ ୩ଦିନ ମନ୍ଦିରରେ ନୀତି ବନ୍ଦ ରହିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । ବାରମ୍ବାର ଲିଙ୍ଗରାଜ ଉପବାସରେ ରହୁଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଦିଅଁଙ୍କ ସନ୍ଧ୍ୟାଧୂପ ରେ ପର୍ବଜାତ ବିଶୋଇ କ୍ଷୀର ଦେଇନଥିବାରୁ ଚର୍ଚ୍ଚିତ ସେବାୟତ ଭୋଗ ଆଣିବାକୁ ମନା କରିଥିଲେ। ସେବେଠାରୁ ନୀତି ଆଗକୁ ବଢ଼ି ନଥିଲା।

ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ପ୍ରଭୁ ଲିଙ୍ଗରାଜଙ୍କୁ ଖାଡାଖାଡ଼ି ଉପବାସ ରଖାଯାଇଥିବାରୁ ଶ୍ରାଦ୍ଧଲୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ଏଭଳି ଅପ୍ରୀତିକର ଘଟଣାର ଖବର ପାଇ ଏକାମ୍ର ବିଧାୟକ ବାବୁ ସିଂ ଦୃଢ ନିନ୍ଦକରିବା ସହିତ କହିଥିଲେ ଏହା ଅତ୍ୟନ୍ତ ଲଜ୍ଜାଜନକ । ସେ ସେବାୟତଙ୍କୁ ଚେତାବନୀ ଦେଇ କହିଥିଲେ,ଏହି ଘଟଣାରେ ଯିଏ ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବା ପାଇଁ ଅଛନ୍ତି ନିଷ୍ପତ୍ତି ନେବାକୁ ନୁହେଁ । 

Tags: