ଅଂଶୁଘାତ ନେଉଛି ଜୀବନ !

ଜନଗଣନା କରିବାକୁ ଯାଇ ୨ଜଣ ଶିକ୍ଷକଙ୍କ ସହ ଚାଷ କାର୍ଯ୍ୟ ବେଳେ ଜଣେ ଚାଷୀଙ୍କ ମୃତ୍ୟୁ

ଅଂଶୁଘାତ ନେଉଛି ଜୀବନ !
Samaya Live News Picture
Published On

ମୟୁରଭଞ୍ଜ/ସୁନ୍ଦରଗଡ଼ : ଅଂଶୁଘାତରେ ଜନଗଣନା କାର୍ଯ୍ୟରେ ନିୟୋଜିତ ୨ଜଣ ଶିକ୍ଷକଙ୍କ ମୃତ୍ୟୁ ! ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡଗାଁ ଅଞ୍ଚଳର ଶିକ୍ଷକ ରାଜ କପୁର ହେମ୍ବ୍ରମ । ବେତନଟି ଥାନା ପୁରିନ୍ଦା ସ୍ଥିତ କଖାରୁଆ ବୈଦ୍ୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ବାରିପଦା ସ୍ଥିତ ତକତପୁର ଠାରେ ରୁହନ୍ତି । ଗତକାଲି ସେ ଜନଗଣନା ପାଇଁ ନିକଟସ୍ଥ ବୁଢ଼ୀ ଖମାରୀ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବା ପରେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ । ଦେହରୁ ଝାଳ ବାହାରିବା ସହିତ ପାଟିରୁ ଫେଣ ବାହାରିଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହା ହୃଦଘାତ ଏବଂ ଅଂଶୁଘାତ ଜନିତ ମୃତ୍ୟୁ ତାହା ସ୍ପଷ୍ଟ ହୋଇ ନାହିଁ । 

ସେପଟେ, ସୁନ୍ଦରଗଡ ବଣାଇ ଉପଖଣ୍ଡରେ ଦୁଇ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗୁରୁଣ୍ଡିଆ ବ୍ଲକର ଯରଡ଼ା ହାଇସ୍କୁଲର ଆସିଷ୍ଟାଣ୍ଟ ଶିକ୍ଷକ ଅନୁରାଗ ଏକ୍କା ଜନଗଣନା ଦାୟିତ୍ବରେ ଥିବା ବେଳେ ଅଚାନକ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ। ଅନ୍ୟପଟେ କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ବିମଲାଗଡ଼ ଫକିରମୁଣ୍ଡା ଗ୍ରାମରେ ସରକାରୀ ନଳକୂପ ଖୋଳୁ ଖୋଳୁ ଗ୍ରାମର ୫୭ ବର୍ଷିୟ ଦିନମଜୁରିଆ ହଠାତ୍ ଟଳି ପଡିଥିଲେ। ଗ୍ରାମବାସୀ ତାଙ୍କୁ ନିକଟସ୍ଥ ଲହୁଣୀପଡା ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ମଧ୍ୟ ଅଂଶୁଘାତରେ ମୁତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ପୁଲିସ୍ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

 

Tags: