ଉକୁଣୀ ନେଲା ଛାତ୍ରୀଙ୍କ ଜୀବନ
ପୁରୀ : ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟି ସତ । ଉକୁଣୀ ଖାଇଗଲେ ନାବାଳିକା ଛାତ୍ରୀଙ୍କ ଖପୁରି । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଚମ୍ପାଗଡ଼ ସାହିରେ I ମୃତ ଛାତ୍ରୀ ହେଉଛନ୍ତି ଗାଁର ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । ସେ ନିକଟସ୍ଥ ଏକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । କେବଳ ଉକୁଣୀ ପାଇଁ ଚାଲିଯାଇଛି ତାଙ୍କର ଜୀବନ।
କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର କରିବା ସତ୍ତ୍ୱେ ଭଲ ହୋଇନଥିଲା । ମା’ ଲଣ୍ଡା ହେବାକୁ କହିଥିଲେ ମଧ୍ୟ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ । ଏହାରି ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ । ମୁଣ୍ଡରୁ ଦୁର୍ଗନ୍ଧ ବାହାରିବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକେ କିଛି ଜାଣି ପାରିନଥିଲେ । ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା । ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ।



