ଫିରୋଜପୁର ଅଦିନିଆ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଚିଠି

ସ୍ଥଗିତ ରହିଲା ରଥଯାତ୍ରା

ଫିରୋଜପୁର ଅଦିନିଆ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଚିଠି
Samaya Live News Picture
Published On

ନୂଆଦିଲ୍ଲୀ : ପଞ୍ଜାବ ଫିରୋଜପୁରରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଚିଠି । ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ଫିରୋଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଫିରୋଜପୁର କ୍ୟାଣ୍ଟନମେଣ୍ଟର ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୩ ତାରିଖରେ ରଥଯାତ୍ରା ହେବାନେଇ ସୋସିଆଲ୍ ମିଡିଆରେ ପ୍ରଚାର କରାଯାଉଛି । ଯାହାକି ଶାସ୍ତ୍ର ଓ ପରମ୍ପରା ବିରୋଧୀ । 

ଆସନ୍ତା ୧୬ ଜୁଲାଇରେ ତିଥି ଅନୁସାରେ ରଥଯାତ୍ରା ପାଳନ ହେବା ଉଚିତ। ଏହାର ପୂର୍ବରୁ କରାଗଲେ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ ସହିତ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରର ପାରମ୍ପରିକ ନୀତି ଅନୁସାରେ ରଥଯାତ୍ରା ଆୟୋଜନ କରାଯାଉ ବୋଲି ପଞ୍ଜାବ ପ୍ରଶାସନକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । 

ଶେଷ ସୂଚନାନୁସାରେ, ଶ୍ରୀ ମନ୍ଦିର ପ୍ରଶାସନର ଚିଠି ପରେ ଅଦିନିଆ ରଥଯାତ୍ରା ସ୍ଥଗିତ ରହିଛି । ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥଗିତ ରଖିବାକୁ ସହମତି ମିଳିଛି । ମେ’ ୨୩ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ନେଇ ଘୋଷଣା କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଫିରୋଜପୁର ଜିଲ୍ଲାପାଳ । ଧାର୍ଯ୍ୟ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବା ନେଇ ସହମତି ଦେଇଛନ୍ତି । ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ ଏକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସରକାରୀ ଭାବରେ ନିର୍ଦ୍ଧାରିତ ତାରିଖର ପ୍ରାୟ ଦୁଇ ମାସ ପୂର୍ବରୁ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା।

ଅନ୍ୟପଟେ , ଦୁଇଦିନ ତଳେ ୟୁପି ହାପୁରରେ ଅଦିନିଆ ରଥଯାତ୍ରାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ବିରୋଧ କରି ତୁରନ୍ତ ହସ୍ତକ୍ଷେପ ପାଇଁ ସେଠାକାର ଜିଲ୍ଲାପାଳଙ୍କୁ ଲେଖିଥିଲା । ସେଠାରେ ୧୩ ଜୁନରେ ନେତ୍ରୋତ୍ସବ, ୧୪ ଜୁନରେ ରଥଯାତ୍ରା ପାଇଁ ଚାଲିଛି ଆୟୋଜନ କରାଯାଉଛି । ମାତ୍ର ୟୁପି ହାପୁର ରଥଯାତ୍ରା ସ୍ଥଗିତ ନେଇ କୌଣସି ସୂଚନା ମିଳି ନାହିଁ।

Tags: