ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ କୁ ନେଇ ଗଜପତିଙ୍କୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଚିଠି
ଚଳଚ୍ଚିତ୍ର ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତ
ପୁରୀ : ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ରୂପ ପ୍ରସାରଣ ଉପରେ ପ୍ରତିବନ୍ଧକ ଦାବି । ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ଚଳଚିତ୍ର ମୁକ୍ତିଲାଭକୁ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଚିଠି । ଭୁବନେଶ୍ୱର ସ୍ଥିତ ‘ଏଲ୍ ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ୍ ଫିଲ୍ମର ପ୍ରଦର୍ଶନ ଓ ପ୍ରସାରଣକୁ ତୁରନ୍ତ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରାଯାଇଛି । ନିର୍ମାତା ସଂସ୍ଥା ପିଲାଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବାର ଯୁକ୍ତି ଦର୍ଶାଉଥିଲେ ହେଁ, ଏହା ସମ୍ପୂର୍ଣ୍ଣ କାଳ୍ପନିକ, ଐତିହାସିକ ତଥ୍ୟବିହୀନ ଏବଂ ଶାସ୍ତ୍ରବିରୋଧୀ । ଏହାଦ୍ୱାରା ପିଲାମାନଙ୍କ ମନରେ ଦେବାଦେବୀଙ୍କ ପ୍ରତି ଅନାଦର ସୃଷ୍ଟି ହେବ ଏବଂ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନା ଆଘାତ ପାଇବ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ଅନ୍ୟାନ୍ୟ ସନାତନ ଦେବାଦେବୀଙ୍କ ମନଗଢ଼ା କାର୍ଟୁନ୍ ରୂପ ଏବଂ ଅପ୍ରାମାଣିକ ଚରିତ୍ର ଆଧାରିତ ଚଳଚ୍ଚିତ୍ର ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ପୁରୀ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି । ଗଭୀର ଚିନ୍ତା ପ୍ରକଟ କରି ସେ କହିଛନ୍ତି ଏହି ଚଳଚ୍ଚିତ୍ର "ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି ଏବଂ ଦର୍ଶନ (ତତ୍ତ୍ୱ)କୁ ନଷ୍ଟ କରୁଛି।" ଦେବତାଙ୍କୁ ବିକୃତ ଏବଂ ଆପତ୍ତିଜନକ ଭାବେ ଚିତ୍ରିତ କରାଯାଇଥିବାରୁ ଏହାକୁ ଏକ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି । ସେ ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମରେ ଚଳଚ୍ଚିତ୍ର ମୁକ୍ତି ଉପରେ ତୁରନ୍ତ ନିଷେଧ ଦାବି କରିଛନ୍ତି ଏବଂ ଚଳଚ୍ଚିତ୍ର ମୁକ୍ତି ଉପରେ ରୋକ ଲଗାଇବାକୁ ମନା କରିଥିବା ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ୨୮ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଆନିମେସନ୍ ଫିଲ୍ମର ରିଲିଜ୍ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଗଜପତି ମହାରାଜାଙ୍କୁ ପତ୍ର ଲେଖି ଅବଗତ କରାଇଛି ।
ଶାସ୍ତ୍ରୀୟ ବିଗ୍ରହର ଅବମାନନା ଜଘନ୍ୟ ଅପରାଧ । ଋଗ୍ ବେଦ ପରିଶିଷ୍ଟ ଏବଂ ଗୋପାଳ ସହସ୍ରନାମରେ ବର୍ଣ୍ଣିତ ବ୍ରହ୍ମଦାରୁ ତଥା ଦାରୁବ୍ରହ୍ମ ଅର୍ଚ୍ଚାବିଗ୍ରହଙ୍କୁ ବିକୃତ କାର୍ଟୁନ୍ ରୂପରେ ଉପସ୍ଥାପନ କରିବା ମାନବାଧିକାର ପରିସର ମଧ୍ୟରେ ଏକ ଜଘନ୍ୟ ଅପରାଧ । ସିନେମା, ଆନିମେସନ୍ କିମ୍ବା ସୋସିଆଲ ମିଡିଆ ଭଳି କୌଣସି ବି ମାଧ୍ୟମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଳ୍ପନିକ ଓ ବିକୃତ ରୂପ ପ୍ରସାରଣ ହେବା ଅନୁଚିତ ।
ସେହିପରି ସ୍କନ୍ଦ ପୁରାଣର ‘ପୁରୁଷୋତ୍ତମ ମାହାତ୍ମ୍ୟ’ ଅନୁସାରେ, ମହାପ୍ରଭୁ କେବଳ ଏକ ସାଧାରଣ କାଠ ପ୍ରତିମା ନୁହନ୍ତି, ସେ ସାକ୍ଷାତ୍ ପରବ୍ରହ୍ମ । ତେଣୁ ତାଙ୍କ ଶ୍ରୀବିଗ୍ରହର ବିକୃତ ପ୍ରଦର୍ଶନ ସର୍ବଥା ଅକ୍ଷମଣୀୟ । ସନାତନ ଧର୍ମ ଏବଂ ପରମ୍ପରାର ସୁରକ୍ଷା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଚିବ ପ୍ରଫୁଲ୍ଲ କୁମାର ମିଶ୍ର ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି । ସେପର୍ଯ୍ୟନ୍ତ ଏହି ଆନିମେସନ୍ ଫିଲ୍ମ ତଥା ‘ଜୟ ଜଗନ୍ନାଥ’ ଧାରାବାହିକର ସମସ୍ତ ପ୍ରସାରଣକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିବାକୁ ସଭା ଦାବି ଜଣାଇଛି ।




