ଓପିଏସସି ପରୀକ୍ଷା ପାଇଁ ତୃତୀୟ ଲିଙ୍ଗୀଙ୍କ ଆବେଦନର ଶେଷ ତାରିଖ ୧୫ ଦିନ ବୃଦ୍ଧି ହେବ
ଭୁବନେଶ୍ୱର : ତୃତୀୟ ଲିଙ୍ଗୀଙ୍କ ଅଧିକାର ଓ ସମ୍ମାନକୁ ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆରସି)ଙ୍କ ବଡ଼ ରାୟ । ଓପିଏସସି ପରୀକ୍ଷା ପାଇଁ ତୃତୀୟ ଲିଙ୍ଗୀଙ୍କ ଆବେଦନର ଶେଷ ତାରିଖ ୧୫ ଦିନ ବୃଦ୍ଧି କରାଯିବ । ସାଧାରଣ ସେବାରେ ନିଯୁକ୍ତି ନିମିତ୍ତ ତୃତୀୟ ଲିଙ୍ଗୀ ଆଶାୟୀଙ୍କ ପାଇଁ ସ୍ୱତନ୍ତ୍ର ଲିଙ୍ଗଗତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।
ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କ ନେତୃତ୍ୱରେ କମିଶନ ସରକାରଙ୍କୁ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଅତି କମରେ ୧% ଚାକିରି ସଂରକ୍ଷଣ କରିବାକୁ ଏବଂ ଟ୍ରାନ୍ସଜେଣ୍ଡରମାନେ ଆବେଦନ କରିପାରିବେ ତାହା ନିଶ୍ଚିତ କରିବା ପାଇଁ ଆଗାମୀ OPSC ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ୧୫ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଗାମୀ ୬୦ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଧାରଣ ପ୍ରଶାସନ ବିଭାଗ ଏବଂ ସାମାଜିକ ସୁରକ୍ଷା ବିଭାଗକୁ କମିଶନ ଆଦେଶ ଦେଇଛି । ଯେହେତୁ ଓପିଏସସି ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, କିନ୍ତୁ ସେଥିରେ ତୃତୀୟ ଲିଙ୍ଗୀଙ୍କ ଆବେଦନ ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ । ତେଣୁ ତୃତୀୟଲିଙ୍ଗୀଙ୍କ ଆବେଦନ ପାଇଁ ମହିଳା, ପୁରୁଷ ବିକଳ୍ପ ଭଳି ଏକ ବ୍ୟବସ୍ଥା କରିବା ସହ ଆବେଦନ ଲାଗି ଅତିକମରେ ୧୫ ଦିନ ସମୟ ବୃଦ୍ଧି କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଓପିଏସସି ନିଯୁକ୍ତି ଲାଗି ଅନଲାଇନ୍ ଆବେଦନ କରିନପାରି ତୃତୀୟ ଲିଙ୍ଗୀ ସୋନି ସିଲ୍ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଜଣେ ତୃତୀୟ ଲିଙ୍ଗୀ ଭାବେ ଆବେଦନ କରି ନ ପାରି ତାଙ୍କର ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ। ସୋନିଙ୍କ ଆବେଦନକୁ ବିଚାର କରି ସର୍ବସାଧାରଣ ସେବା କ୍ଷେତ୍ରରେ ତୃତୀୟ ଲିଙ୍ଗୀମାନେ ମଧ୍ୟ ପୁରୁଷ, ମହିଳାଙ୍କ ଭଳି ନିଜ ଲିଙ୍ଗଗତ ବିକଳ୍ପ ଚୟନ କରିବାର ହକଦାର ଅଟନ୍ତି । କମିଶନଙ୍କ ଏହି ଆଦେଶ ରାଜ୍ୟରେ ତୃତୀୟ ଲିଙ୍ଗୀଙ୍କ ବିକାଶ ଓ ସମ୍ମାନ ଦିଗରେ ଏକ ମାଇଲଖୁଣ୍ଟ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।



