୬ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ,ରାଜ୍ୟରେ କୌଣସି ବଡ଼ କ୍ଷତି ନାହିଁ - ଏସଆରସି

୬ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ,ରାଜ୍ୟରେ କୌଣସି ବଡ଼ କ୍ଷତି ନାହିଁ - ଏସଆରସି
Samaya Live News Picture
Published On

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ପ୍ରକ୍ରିୟା ରାତି ୨ଟାରୁ ସକାଳ ୮ଟା ମଧ୍ୟରେ ଶେଷ ହୋଇଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ମିଳିନାହିଁ। ସରକାରଙ୍କ ଆଗୁଆ ପ୍ରସ୍ତୁତି ଏବଂ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ଏକ ବଡ଼ ବିପଦକୁ ଏଡ଼ାଇ ଦିଆଯାଇପାରିଛି। ବର୍ତ୍ତମାନ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଧବାର ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ।

SRCଙ୍କ କହିବା ଅନୁସାରେ, ବାତ୍ୟା ଏବେ ସ୍ଥଳଭାଗ ଦେଇ ଗତି କରୁଛି ଏବଂ ପୂର୍ବାନୁମାନ ଅନୁଯାୟୀ ଏହାର ଗତିପଥ ରହିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ମାଲକାନଗିରି ଜିଲ୍ଲାରେ ପହଞ୍ଚିବାର ଆକଳନ କରାଯାଇଛି ।

ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । SRCଙ୍କ ସୂଚନା ଅନୁଯାୟୀ, ସେତେବେଳେ ମାଲକାନଗିରି ଓ କୋରାପୁଟରେ ବର୍ଷା ରେକର୍ଡ ହୋଇନଥିଲା। ରାୟଗଡ଼ା ସମେତ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ଉଲ୍ଲେଖନୀୟ ବର୍ଷା ହୋଇନଥିଲା । ଗତ ୨୪ ଘଣ୍ଟାର ବର୍ଷା ରେକର୍ଡ ଅନୁସାରେ, ମୋହନା ବ୍ଲକ୍‌ରେ ୧୮୨ ମିଲିମିଟର ଏବଂ ପାରଳାଖେମୁଣ୍ଡିରେ ୧୪୦ ମିଲିମିଟର ବର୍ଷା ହୋଇଛି।

ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ୨ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 

ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ରାସ୍ତା ଅବରୋଧ ହୋଇଥିବା ଖବର ମିଳିଛି । ତେବେ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବଳ (ODRAF) ଓ ଅଗ୍ନିଶମ ବାହିନୀର ଟିମ୍‌ଗୁଡ଼ିକ ତୁରନ୍ତ ପହଞ୍ଚି ଅବରୋଧ ହଟାଇଛନ୍ତି ।

ସେହିପରି ବାତ୍ୟାର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ସାରା ରାଜ୍ୟରେ ମୋଟ ୧୨୫ଟି ଅଗ୍ନିଶମ ଦଳକୁ ନିୟୋଜିତ କରାଯାଇଥିଲା । ଏହାପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ତିନୋଟି ସ୍ୱତନ୍ତ୍ର ଦଳକୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାକୁ ପଠାଯାଇଥିଲା । ଏହି ଦଳଗୁଡ଼ିକ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଗଛ ହଟାଇବା ସହ ରାସ୍ତା ସଫା କରିବା ଓ ଲୋକଙ୍କ ଯାତାୟାତ ସ୍ୱାଭାବିକ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Tags: