ଲ୍ୟାଣ୍ଡଫଲ୍ କଲା 'ଅର୍ଣ୍ଣବ' ସ୍ଥିତି ଉପରେ ରହିଛି ନଜର - ରାଜସ୍ବ ମନ୍ତ୍ରୀ

ଲ୍ୟାଣ୍ଡଫଲ୍ କଲା 'ଅର୍ଣ୍ଣବ' ସ୍ଥିତି ଉପରେ ରହିଛି ନଜର - ରାଜସ୍ବ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ଶେଷ ହେଲା ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ରାତି ୨ ଟାରୁ ଭୋର ୪ଟା ମଧ୍ୟରେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ସକାଳ ୮ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ଥିଲା । ଲ୍ୟାଣ୍ଡଫଲ୍ ପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହେବ । ଆଜି ରାତି ସୁଦ୍ଧା ଏହା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ । ମାଲକାନଗିରି ଅତିକ୍ରମ କରିବା ସମୟରେ ଏହା ଗଭୀର ଅବପାତ କିମ୍ବା ଅବପାତର ରୂପ ନେଇପାରେ ।

ବାତ୍ୟା ‘ଅର୍ଣ୍ଣବ’ ୟାନାମର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସ୍ଥାନଟି ନରସାପୁରଠାରୁ ୨୦ କିମି ପୂର୍ବ-ଉତ୍ତରପୂର୍ବ, ୟାନାମଠାରୁ ୪୦ କିମି ଦକ୍ଷିଣ-ପଶ୍ଚିମ ଏବଂ କାକିନାଡ଼ାଠାରୁ ୬୦ କିମି ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ପ୍ରଣାଳୀ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଏକ ସାଧାରଣ ବାତ୍ୟା ରୂପ ନେବ । ତା’ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଶକ୍ତି ହରାଇ ଏକ ‘ଗଭୀର ଅବପାତ’ ରେ ପରିଣତ ହେବ । ​ବାତ୍ୟା ପ୍ରଭାବରେ ସମୁଦ୍ରରେ ସାଧାରଣ ଜୁଆରଠାରୁ ପ୍ରାୟ ୧.୦ ମିଟର ଉଚ୍ଚ ଜୁଆର ଉଠିବା ସହ ଆଗାମୀ ୩ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ତଳିଆ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ଜୁଆରର ଉଚ୍ଚତା ୦.୫ ରୁ ୧.୦ ମିଟର ରହିପାରେ । ​

ବାତ୍ୟାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା ରହିଛି । ଏଥିପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ରେକର୍ଡ ହୋଇଛି। ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା ହୋଇଛି। ସେହିପରି କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୧୮୮ ମିଲିମିଟର, ଗଞ୍ଜାମରେ ୧୬୧.୪ ମିଲିମିଟର ଏବଂ ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ୭୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

 

Tags: