ଓଡ଼ିଶାରେ ଖୁବଶୀଘ୍ର ଲକ୍ଷ୍ମୀପୁରାଣ କରିଡର - ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମିଶନ ଶକ୍ତି ଭବନସ୍ଥିତ ଅଡିଟୋରିଅମ୍ ହଲ୍ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଥିଲେ । ଉଦ୍ବୋଧନରେ ଉପ-ମୁଖ୍ୟମନ୍ତ୍ରୀ କହିଥିଲେ , ସଶକ୍ତ ମହିଳାଙ୍କ ନିଚ୍ଛକ ଉଦାହରଣ ଓଡ଼ିଆ ଘରର ଲକ୍ଷ୍ମୀ ପୁରାଣ । ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ ଲକ୍ଷ୍ମୀପୁରାଣର ନୂଆ ସଂସରଣ । ଭାରତର ବିକାଶ ଜାଣିବାକୁ ଚାହିଁଲେ ଓଡ଼ିଶା ଲକ୍ଷ୍ମୀପୁରାଣ ଏକ ଅଧ୍ୟାୟ ବୋଲି ସେ କହିଛନ୍ତି ।
ଓଡ଼ିଶାରେ ଖୁବଶୀଘ୍ର ହେବ ଲକ୍ଷ୍ମୀପୁରାଣ କରିଡର । ପର୍ଯ୍ୟଟନ ବିଭାଗ ପକ୍ଷରୁ ବଳରାମ ଦାସଙ୍କ ସମାଧିପୀଠ ଠାରେ “ଲକ୍ଷ୍ମୀ ପୁରାଣ କରିଡର” ନିର୍ମାଣ ପାଇଁ ରୂପରେଖା ପ୍ରସ୍ତୁତ ହୋଇଛି । ରାଜ୍ୟର ପର୍ଯ୍ୟଟନ ଓ ଆର୍ଥିକ ସ୍ଥିତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଭିଜନ । ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ଏହି ମହାଲକ୍ଷ୍ମୀ କରିଡର ହେବାକୁ ଯାଉଛି। ତିନି ବର୍ଷ ଭିତରେ ଶେଷ ହେବ ଏହି ପ୍ରକଳ୍ପ । ପ୍ରାୟ ୨୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ଏହି ବୃହତ ପ୍ରକଳ୍ପ। ରାଜ୍ୟ ଓ ରାଜ୍ୟ ବାହାରୁ ଓଡ଼ିଶାକୁ ଆସି ରିସର୍ଚ୍ଚ କରୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଲକ୍ଷ୍ମୀପୁରାଣ ପାଠ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ପୁରାଣ ଉପରେ ଅଧିକରୁ ଅଧିକ ରିସର୍ଚ୍ଚ କରିବା ପାଇଁ ମଧ୍ୟ ଫେଲୋସିପର ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।




