ଭିଜିଲାନ୍ସ ଜାଲରେ ଶ୍ରମ ଅଧିକାରୀ

ଭିଜିଲାନ୍ସ ଜାଲରେ ଶ୍ରମ ଅଧିକାରୀ
Samaya Live News Picture
Published On

କେନ୍ଦୁଝର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଫିସର । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (DLO) ଆକାଶ ବିଷୋୟୀ । ଜଣେ ବିଦ୍ୟୁତ ଠିକାଦାରଙ୍କୁ ଲେବର ଲାଇସେନ୍ସ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଘଟଣାସ୍ଥଳରୁ ଆକାଶ ବିଷୋୟୀଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସୂଚନା ଅନୁଯାୟୀ,ସମ୍ପୃକ୍ତ ଠିକାଦାରଙ୍କୁ TPNODL ପକ୍ଷରୁ ବିଦ୍ୟୁତ୍ ସଂଯୋଗ ସମ୍ପର୍କିତ ଇନ୍ ଷ୍ଟଲେସନ୍ କାମ ମିଳିଥିଲା। ଏହି କାମ ପାଇଁ ଶ୍ରମିକ ନିୟୋଜନ କରିବାକୁ ଲେବର ଲାଇସେନ୍ସର ଆବଶ୍ୟକତା ଥିଲା । ଏଥିପାଇଁ ଠିକାଦାର ଗତ ଅଗଷ୍ଟ ୧୪ ତାରିଖରେ ଶ୍ରମ ଓ ESI ବିଭାଗର ନିୟମ ଅନୁସାରେ ଅନଲାଇନ୍ ରେ ଆବେଦନ କରିଥିଲେ । ନିଜ ଏଜେନ୍ସି ନାଁରେ ଲାଇସେନ୍ସ ପାଇବା ପାଇଁ ସେ ସମସ୍ତ ଆବଶ୍ୟକ ପ୍ରକ୍ରିୟା ପୂରଣ କରିଥିବା ଭିଜିଲାନ୍ସ କହିଛି । ଅଗଷ୍ଟ ୧୬ ତାରିଖରେ ଠିକାଦାର ଲେବର ଲାଇସେନ୍ସ କେବେ ମିଳିବ ସେନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିଥିଲେ। ଅଭିଯୋଗ ଅନୁସାରେ, ଏହି ସମୟରେ ଲାଇସେନ୍ସ ପ୍ରଦାନ କରିବା ପାଇଁ ଆକାଶ ବିଶୋଇ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

ଲାଞ୍ଚ ନଦେଲେ କାମ କରାଇ ନଦେବାକୁ ହଇରାଣ ହରକତ କରୁଥିବାରୁ ଅତିଷ୍ଠ ହୋଇ ଠିକାଦାର ଜଣକ ସମସ୍ତ ଘଟଣା ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଯୋଜନା ପ୍ରସ୍ତୁତ କରିଥିଲା । ଗତ ସନ୍ଧ୍ୟାରେ ଆକାଶ ବିଷୋୟୀ ଉକ୍ତ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । 

ଗିରଫଦାରୀ ପରେ ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୁଇଟି ସ୍ଥାନ କେନ୍ଦୁଝରସ୍ଥିତ ତାଙ୍କ ସରକାରୀ ବାସଭବନ ଏବଂ ବ୍ରହ୍ମପୁରସ୍ଥିତ ପୈତୃକ ବାସଭବନ ଏକକାଳୀନ ତଲାସି ଅଭିଯାନ ଆରମ୍ଭ କରିଛି । କେନ୍ଦୁଝର ସ୍ଥିତ ତାଙ୍କ ସରକାରୀ ବାସ ଭବନରୁ ୭ ଲକ୍ଷ ୨୯ହଜାର ଟଙ୍କା ଏବଂ ୩୦୦ଗ୍ରାମ ସୁନା ଅଳଙ୍କାର ମିଳିଥିବା ସୂଚନା ମିଳିଛି  । ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୮/୨୦୨୬ ରୁଜୁ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରି ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ତଲାସୀ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

 

Tags: