ନେପାଳରୁ ସୁରକ୍ଷିତ ଓଡିଶା ଫେରିଲେ କୁଳସୁମ ନିଗାର
ଭୁବନେଶ୍ୱର : ନେପାଳର ପ୍ରଳୟଙ୍କରୀ ବନ୍ୟାରୁ ସୁରକ୍ଷିତ ଓଡିଶା ଫେରିଛନ୍ତି କୁଳସୁମ ନିଗାର। ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ । ଗତକାଲି ବାରିପଦାରେ ପହଞ୍ଚିବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି । ତାଙ୍କ ସହିତ ଭୁବନେଶ୍ୱରରୁ ଟ୍ରେକିଂ ରେ ଯାଇଥିବା ଆଉ ଜଣେ ଝିଅ ମଧ୍ୟ ସୁରକ୍ଷିତ ଭାବରେ ଓଡିଶା ଫେରିଛନ୍ତି । ଫେରିବା ପରେ ପ୍ରଳୟର ସେହି ଛାତିଥରା ଅନୁଭୂତି ବଖାଣିଛନ୍ତି କୁଳସୁମ । କିଭଳି ଭାବେ ଫସି ରହିଥିଲେ, କିଭଳି ସେ ସୁରକ୍ଷିତ ଭାବେ ଆସି ପହଞ୍ଚିଲେ ସେ ନେଇ ସବୁ କଥା କହିଛନ୍ତି । ଖାଲି ସେ ଏକା ନୁହଁନ୍ତି, ତାଙ୍କ ସହିତ ଯାଇଥିବା ଅନ୍ୟ ସାଥିମାନେ ମଧ୍ୟ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିଛନ୍ତିବୋଲି ସୂଚନା ମିଳିଛି । ସେହିପରି ,ଭୁବନେଶ୍ୱରର ଏକ ଫୁଟବଲ୍ ଦଳ ଏବଂ ପୁରୀର ତିନି ଜଣ ଯାତ୍ରୀ ସୁରକ୍ଷିତ ଥିବା ନିଶ୍ଚିତ କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ପୂର୍ବରୁ ରକ୍ସୌଲ ଚେକ୍ ପୋଷ୍ଟ ଦେଇ ଭାରତ ଫେରି ଆସିଛନ୍ତି।
ସୂଚନାନୁସାରେ, କୁଲସୁମ ଅଗଷ୍ଟ ୨୧ ତାରିଖରେ ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରି ଅଗଷ୍ଟ ୨୨ରେ ନେପାଳରେ ପହଞ୍ଚିଥିଲେ। ସେଠାରେ ଟ୍ରେକିଂ ଓ ପର୍ଯ୍ୟଟନ ପାଇଁ ପୋଖରା ଏବଂ କାଠମାଣ୍ଡୁ ଯିବାର ଯୋଜନା ଥିଲା। ତେବେ ନେପାଳରେ ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପରିବାର ସହ ତାଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।




