ଶ୍ରୀମନ୍ଦିରରେ ଆଜି କୃଷ୍ଣ ବଳରାମ ବେଶ
ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ତାଙ୍କ ସହିତ ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରିବେ । ଶ୍ରୀଜଗନ୍ନାଥ ଓ ବଳରାମ ପଦକୁ ଛନ୍ଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି । ଦେବୀ ସୁଭଦ୍ରା ଏକ ଛୋଟ ଖଟୁଳି ଉପରେ ପଦ୍ମାସନରେ ଉପବେଶନ କଲାଭଳି ରହିଥାନ୍ତି । ବର୍ଷକ ମଧ୍ୟରେ କେବଳ ଏହି ଦିନ ଦେବୀ ସୁଭଦ୍ରା ଚତୁର୍ଭୁଜା ରୂପ ଧାରଣ କରନ୍ତି । ଏହି ବେଶରେ ଗୋପୀ ଗୋପାଳଙ୍କ ସହିତ କୃଷ୍ଣ ବଳରାମ ବୃନ୍ଦାବନରେ ଲୀଳା କରୁଥିଲା ଭଳି ପ୍ରତୀୟମାନ ହୁଏ ।
ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ, ଗୋପୀ, ବ୍ରହ୍ମା, ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ ଓ ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି । ଦ୍ୱିପହର ଧୂପ ପରେ ଏହି ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିଥାଏ । ଏହି ବେଶରେ ଖିରି ଓ ଅମାଲୁ ଭୋଗ ମଧ୍ୟ ଲାଗିଥାଏ । ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।




