ସୁଦାନରୁ ଫେରିଲେ ଅପହୃତ ଓଡ଼ିଆ ଯୁବକ
ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଚିଲେ ସୁଦାନ ଗୃହଯୁଦ୍ଧରେ ଅପହୃତ ହୋଇଥିବା ଓଡ଼ିଆ ଯୁବକ । ଜଗତସିଂହପୁର ଜିଲ୍ଲା କୋଟକଣା ଗାଁ ର ଆଦର୍ଶ ବେହେରା ୩ ବର୍ଷ ପୂର୍ବରୁ କାମ ଅନ୍ୱେଷଣରେ ଆଫ୍ରିକୀୟ ରାଷ୍ଟ୍ର ସୁଦାନ ଯାଇଥିବାବେଳେ ସେଠାରେ ନିଖୋଜ ହୋଇ ଯାଇଥିଲେ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି । ତାଙ୍କ ଫେରିବା ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିଛନ୍ତି । ଭୁବନେଶ୍ବରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ବିମାନବନ୍ଦରରେ ଭାବବିହ୍ବଳ ସ୍ଥିତି ସୃଷ୍ଟି ହୋଇଥିଲା ।
ସୂଚନାନୁସାରେ,ଜଗତସିଂହପୁର ଜିଲ୍ଲାର ଆଦର୍ଶ ବେହେରା ୨୦୨୨ରେ ସୁଦାନର ଦର୍ଫୁର ଷ୍ଟେଟରେ ଥିବା ଅଲ୍ ଫାସିର ନାମକ ସ୍ଥାନରେ ଏକ ପ୍ଲାଷ୍ଟିକ କଂପାନୀରେ କାମ କରୁଥିଲେ। ସେଠାରେ ଗୃହଯୁଦ୍ଧ ଭୟଙ୍କର ରୂପ ନେବାରୁ କଂପାନୀ ବନ୍ଦ ହୋଇଯାଇଥିଲା। ଏହାପରେ ଗତ ମାସରେ ବନ୍ଧୁକଧାରୀ ବ୍ୟକ୍ତିଙ୍କ ସହ ତାଙ୍କୁ ଅଟକ ରଖାଯାଇଥିବା ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ନେହୁରା ହେଉଥିଲେ ବି ଆଦର୍ଶଙ୍କୁ ସେମାନେ ଛାଡ଼ୁନଥିଲେ ବରଂ ଅଧିକ ଭୟଭୀତ କରାଉଥିଲେ।
ଏହି ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ସେ ଗଭୀର ଚିନ୍ତା ପ୍ରକଟ କରିବା ସହ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଏଥି ସହିତ, ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିଶନର ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ପତ୍ରଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍ ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ । ତେବେ ସମସ୍ତଙ୍କ ମିଳିତ ପ୍ରୟାସରେ ଆଜି ଘରକୁ ଫେରିପାରିଛନ୍ତି ଆଦର୍ଶ। ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ (ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖାଯାଇଥିଲା । ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ ।




