ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସଂସ୍ଥାଙ୍କୁ ତୁରନ୍ତ ଇନ୍ଧନ ଯୋଗାଇବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ
ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଅସହ୍ୟ ଗରମ ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ହୋଇ ପଡିଛି ବିଦ୍ୟୁତ କାଟ । ଫଳରେ ଅନେକ ସ୍ଥାନରେ ବିଦ୍ୟୁତ କାଟ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ଅମ୍ରିତ ଋତୁରାଜ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ର ଧାରା ୩୪(ଇ) ଅନୁଯାୟୀ ଜିଲ୍ଲାର ସମସ୍ତ ତୈଳ ବିପଣନ କମ୍ପାନୀ, ଖୁଚୁରା ବିକ୍ରେତା ଏବଂ ଡିଲରମାନଙ୍କୁ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଇନ୍ଧନ (ଡିଜେଲ/ପେଟ୍ରୋଲ) ଯୋଗାଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ହସ୍ପିଟାଲ, ପଞ୍ଜିକୃତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ, ଶିକ୍ଷାନୁଷ୍ଠାନ ଛାତ୍ରାବାସ ପରି ସଂସ୍ଥାକୁ ଇନ୍ଧନ ଦେବା ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ଏହି ତୈଳ ଯୋଗାଣକାରୀ ସଂସ୍ଥା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିର୍ଦ୍ଦେଶର ଅବମାନନା କଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ । ଏପରି ବାଧା ସୃଷ୍ଟି ଦ୍ୱାରା ଜୀବନ ହାନି କିମ୍ବା ଆକସ୍ମିକ ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ, ତେବେ ଖିଲାପକାରୀଙ୍କ ବିରୁଦ୍ଧରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି । ଏହି ଆଇନର କଠୋର ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।




