କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୩ ନୃତ୍ୟୁ ଗୁରୁଙ୍କ ସମେତ ୬ ଓଡ଼ିଆଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ୨୦୨୪ -୨୫ ବର୍ଷ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ମାନ ତାଲିକାରେ ଓଡ଼ିଶାର ୩ ଜଣ ବିଶିଷ୍ଟ କଳାକାରଙ୍କ ସମେତ ୬ ଜଣ ସମ୍ମାନିତ ହୋଇଛନ୍ତି । କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି ।
ଓଡ଼ିଶୀ ନୃତ୍ୟଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କୁ ୨୦୨୪ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି। ସେହିପରି ସମ୍ବଲପୁରୀ ଲୋକନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ରଣଜୀତ କୁମାର ନାଗଙ୍କୁ ୨୦୨୪ ବର୍ଷର ନୃତ୍ୟ ବର୍ଗରେ ସମ୍ମାନିତ କରାଯାଇଛି । ମଞ୍ଚ ନାଟକରେ ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକଙ୍କୁ ୨୦୨୫ ବର୍ଷର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି ।
ସେହିପରି, ଓଡ଼ିଶୀ ନୃତ୍ୟରେ ବିଶିଷ୍ଟ ଗୁରୁ ଇଲିଆନା ସିତାରିଷ୍ଟ, ପାରମ୍ପରିକ ସଂଗୀତରେ ବିଶିଷ୍ଟ ମର୍ଦ୍ଦଳ ଗୁରୁ ସଚ୍ଚିଦାନନ୍ଦ ଦାସ, ମୟୂରଭଞ୍ଜ ଛଉରେ ପଗୁଲୁ ଜେନାଙ୍କୁ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦୦ ରୁ ଅଧିକ କଳାକାରଙ୍କୁ ୨୦୨୪ ଏବଂ ୨୦୨୫ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ପୁରସ୍କାର ପ୍ରଦାନ କରିଛନ୍ତି । ସମସ୍ତ ପ୍ରତିଭାଙ୍କୁ ଏକାଡେମୀ ସ୍ମୃତି ଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରିଛନ୍ତି ।
ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଯେ, ସମ୍ମାନିତ କଳାକାରମାନେ ସାମୂହିକ ଭାବେ ଭାରତର ଏକ ବିଶାଳ ସାଂସ୍କୃତିକ ମାନଚିତ୍ର ଉପସ୍ଥାପନ କରୁଛନ୍ତି। ଦେଶର ବିଭିନ୍ନ ଅଞ୍ଚଳର ମାଟି, ପାଣି, ପବନ, ନୃତ୍ୟ, ସଙ୍ଗୀତ, ଭାଷା ଓ ଲୋକପରମ୍ପରାର ଛବି ସେମାନଙ୍କ କଳାରେ ପ୍ରତିଫଳିତ ହେଉଛି। ଭାରତର ସାଂସ୍କୃତିକ ବିବିଧତା ହିଁ ଦେଶର କଳାର ସବୁଠାରୁ ବଡ଼ ଶକ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବିଭିନ୍ନ ଅଞ୍ଚଳର ଖାଦ୍ୟ, ପୋଷାକ, ନୃତ୍ୟ ଓ ସଙ୍ଗୀତ ପ୍ରକୃତିରୁ ପ୍ରେରଣା ନେଇଛି। ପକ୍ଷୀଙ୍କ କଳରବ, ଝରଣା, ଗଛ, ପତ୍ର, ମେଘ ଓ ନଦୀ ଭଳି ପ୍ରକୃତିର ବିଭିନ୍ନ ଉପାଦାନ କଳାକାରଙ୍କ ସୃଜନଶୀଳତାର ପ୍ରେରଣା ପାଲଟିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି।




