ନୂଆ ରୂପ ପାଇଲା କଳିଙ୍ଗ ଷ୍ଟୁଡ଼ିଓ
ଭୁବନେଶ୍ୱର : ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଆଜି ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁନର୍ବିକଶିତ ଓ ନବୀକୃତ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓକୁ ଲୋକାର୍ପିତ କରିଛନ୍ତି ।
ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ିବ ନାହିଁ। ଏଥିରେ ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଯାଇଛି। ଆଗାମୀ ଦିନରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ ନୂତନ କଳିଙ୍ଗ ଷ୍ଟୁଡ଼ିଓ ବଦଳୁଥିବା ସମୟ ଏବଂ ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟୁଡ଼ିଓକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଇକୋସିଷ୍ଟମ ଭାବେ ବିକଶିତ କରାଯାଇଛି । ଏଠାରେ ଇନ୍ଡୋର୍ ଶୁଟିଂ ଫ୍ଲୋର୍, ସ୍ନୋ-ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଚଳଚ୍ଚିତ୍ର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ପୁରୁଣା ଫିଲ୍ମ, ପୋଷ୍ଟର, ଫଟୋଗ୍ରାଫ୍ ଏବଂ ଐତିହାସିକ ଦଲିଲଗୁଡ଼ିକୁ ସଂରକ୍ଷିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓ ଏବଂ ଓଡ଼ିଆ ସିନେମାର ପୁରୁଣା ଇତିହାସକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ପଚାଶ ଓ ଷାଠିଏ ଦଶକରେ ‘ମା’, ‘ଅମଡ଼ାବାଟ’, ‘ମାଟିର ମଣିଷ’ ପରି କାଳଜୟୀ ଚଳଚ୍ଚିତ୍ରଗୁଡ଼ିକ ଓଡ଼ିଆ ସାହିତ୍ୟ ସହିତ ସିନେମାର ଏକ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିଥିଲା । ଓଡିଶାରେ ସିନେମା ନିର୍ମାଣ କରିବା ପାଇଁ ୧୯୮୦ ମସିହାରେ କଳିଙ୍ଗ ଷ୍ଟୁଡ଼ିଓ ପ୍ରତିଷ୍ଠା ହୋଇଥିଲେ ମଧ୍ୟ, ସମୟକ୍ରମେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରଯୁକ୍ତିବିଦ୍ୟାରେ ଆସିଥିବା ଦ୍ରୁତ ପରିବର୍ତ୍ତନ କାରଣରୁ ଏହାର ନବୀକରଣ ଅନିବାର୍ଯ୍ୟ ହୋଇ ପଡ଼ିଥିଲା ।
ରାଜ୍ୟର ପ୍ରତିଭାବାନ ଯୁବପିଢ଼ିଙ୍କ ପ୍ରତି ଗଭୀର ଆଶା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଯୁବବର୍ଗ ଅଭିନୟ, ନିର୍ଦ୍ଦେଶନା, ସିନେମାଟୋଗ୍ରାଫି, ଆନିମେସନ୍, ସାଉଣ୍ଡ ଡିଜାଇନ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କାହାଣୀ ଲେଖିବାରେ ବେଶ୍ ଆଗୁଆ ଅଛନ୍ତି । କଳିଙ୍ଗ ଷ୍ଟୁଡ଼ିଓ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିବ । ନିଜର ମୌଳିକ କାହାଣୀ, ଲୋକକଥା, ଇତିହାସ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ଆଧାର କରି ସିନେମା ନିର୍ମାଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।




