ନବୀନ ନିବାସରେ କଳିକେଶଙ୍କୁ ନେଇ ଚର୍ଚ୍ଚା !
ଭୁବନେଶ୍ୱର : ନବୀନ ନିବାସରେ ହଲଚଲ । ନେତୃତ୍ୱ କୁ ନେଇ ବଢୁଛି ଚର୍ଚ୍ଚା । ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ପଶ୍ଚିମ ଓଡ଼ିଶାର ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ ତଥା ଯୁବ ନେତା କଳିକେଶ ନାରାୟଣ ସିଂଦେଓ । ନବୀନ ନିବାସରେ ଅଛନ୍ତି ପ୍ରତାପ ଜେନା ଓ ଦେବୀ ମିଶ୍ର । ନବୀନ ପଟ୍ଟନାୟକଙ୍କ ସହ ଏହି ୩ ଜଣଙ୍କ ଆଲୋଚନା ଚାଲିଛି । ଆଜି ଡାକରା ପାଇ କଳିକେଶ ସିଂଦେଓ ଆସି ପହଁଚିଥିବା ସୂଚନା ମିଳିଛି । ତେବେ ଉତ୍ତରାଧିକାରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏନେଇ କୌଣସି ସଠିକ ତଥ୍ୟ ମିଳିପାରି ନାହିଁ । ତେବେ କିଛି ଦିନ ପୂର୍ବରୁ ପଶ୍ଚିମ ଓଡ଼ିଶାର ପୂର୍ବତନ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିଶ କରିଥିବା ସୂଚନା ମିଳିଛି । ତେବେ ଏହି ଭେଟଘାଟକୁ ନେଇ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଗଣମାଧ୍ୟମ ପ୍ରଶ୍ନକୁ ବଡ଼ ଚତୁରତାର ସହ ଏଡାଇ ଯାଇ କହିଛନ୍ତି ଦଳର ନେତା ହିସାବରେ ନବୀନଙ୍କୁ ଭେଟିବାର କୌଣସି ଅସୁବିଧା ନାହିଁ ।
ସେପଟେ,ନବୀନ ନିବାସରୁ ବାହାରିବା ପରେ କଳିକେଶ ସିଂଦେଓ କହିଛନ୍ତି ମହିଳା ଓ ଚାଷୀଙ୍କ ସମସ୍ୟା ନେଇ ନବୀନଙ୍କୁ ଭେଟିବାକୁ ଆସିଥିଲି ଅନ୍ୟ କିଛି ନୁହେଁ । ବହୁତ ଦିନ ହେଲା ମୁ ନବୀନଙ୍କୁ ଭେଟି ନଥିଲି,ତେଣୁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ହିସାବରେ ନବୀନଙ୍କୁ ଭେଟି ଅନେକ ବିଷୟରେ କଥାବାର୍ତ୍ତା ହେଲା । ବିଶେଷକରି ଚାଷୀଙ୍କ ବୋନସ କାଟିବାକୁ ନେଇ ଚର୍ଚ୍ଚା ହୋଇଥିଲା । ତେଣୁ ବର୍ତ୍ତମାନ ନେତୃତ୍ୱ ପରିବର୍ତ୍ତନକୁ ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲାଗିଛି ।



