ରାଜରାସ୍ତାରେ ପୁଣି ଗର୍ଜିଲେ କନିଷ୍ଠ ଶିକ୍ଷକ
ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ପୁଣି ଗର୍ଜିଲେ କନିଷ୍ଠ ଶିକ୍ଷକ । ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ବିଶାଳ ଗଣଧାରଣା । ସରକାରଙ୍କ ବିଜ୍ଞପ୍ତି ସତ୍ତ୍ୱେ ନିୟମିତ ହେଉ ନାହାନ୍ତି ୧୩ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ । ହାଇକୋର୍ଟଙ୍କ ରହିତାଦେଶ ପରେ ସତ୍ୟପାଠ ଦାଖଲରେ ସରକାରୀ ବିଳମ୍ବ ଅଭିଯୋଗ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାରରୁ ଅଧିକ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ଏକତ୍ରିତ ହୋଇ ବିଶାଳ ଗଣଧାରଣା ଦେଇଛନ୍ତି । ସରକାରୀ ଉଦାସୀନତା ଓ ପ୍ରଶାସନିକ ବିଳମ୍ବ ବିରୋଧରେ ହଜାର ହଜାର ଶିକ୍ଷକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ରାଜରାସ୍ତାରେ ନିଜର ପ୍ରତିବାଦ ଜାହିର କରିଛନ୍ତି ।
ଆନ୍ଦୋଳନରତ ଶିକ୍ଷକମାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମାତ୍ର ଏହି ବିଜ୍ଞପ୍ତି ବିରୋଧରେ ମାମଲା ଦାଏର ହେବା ପରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ ।
ଏଥିସହ ପକ୍ଷ ରଖିବା ପାଇଁ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ସରକାର ମାସ ମାସ ଧରି କୋର୍ଟରେ ଆବଶ୍ୟକ ସତ୍ୟପାଠ ଦାଖଲ ନକରି କାଳକ୍ଷେପଣ ନୀତି ଆପଣେଇଛନ୍ତି । ସରକାରୀ ବିଳମ୍ବ ଯୋଗୁଁ ହାଇକୋର୍ଟରେ ମାମଲା ଝୁଲି ରହିଛି ଏବଂ ଶିକ୍ଷକମାନଙ୍କ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ବୋଲି ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିଛି । ସରକାର ଯେ ପର୍ଯ୍ୟନ୍ତ ହାଇକୋର୍ଟରେ ଯଥାର୍ଥ ସତ୍ୟପାଠ ଦାଖଲ କରି ଆଇନଗତ ବାଧାବିଘ୍ନ ଦୂର ନକରନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶିକ୍ଷକ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ।
ସେପଟେ, ଓଡ଼ିଶାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ସଂଘଗୁଡ଼ିକର ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ପାଇଁ ୮୦୦ ପୃଷ୍ଠାର ପାଣ୍ଡୁଲିପି ପ୍ରସ୍ତୁତ ହୋଇଛି । ଗୋଟି ଗୋଟି କରି ପ୍ରାୟ ୧୦୪ଟି ଶିକ୍ଷକ ସଙ୍ଗଠନଙ୍କ ଦାବି ଶୁଣିବା ପରେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ୭୯ ରିପୋର୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ, ଅନୁଦାନପ୍ରାପ୍ତ, ଅଣ-ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ବିଭିନ୍ନ ବର୍ଗର ଶିକ୍ଷକ/ଅଧ୍ୟାପକ ଓ କର୍ମଚାରୀ ସଂଘ ରହିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ପାଖାପାଖି ୧୦ ମାସ ଧରି ୯୦ରୁ ଅଧିକ ଥର ବୈଠକ କରି ଦାବିଗୁଡ଼ିକ ଅନୁଶୀଳନ ପରେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ସେଗୁଡ଼ିକୁ ତର୍ଜମା କରୁଥିବା ଜଣାପଡ଼ିଛି।




