କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର : ୫ ଦିନ ପରେ ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ । ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନିଷ୍ପତ୍ତି ନେଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ୭ ଦିନ ଭିତରେ ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଗ୍ରେଡ ପେ'କୁ ୨୨ ଶହରୁ ୪୨ ଶହ କରାଯାଉ, ଠିକାରେ ନିଯୁକ୍ତ ପ୍ରାୟ ୧୩ ହଜାର ଶିକ୍ଷକଙ୍କୁ ନିୟମିତ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଦାବି ରହିଛି ।
ପୂର୍ବରୁ ସେମାନଙ୍କ ମଧ୍ୟରେ ନିଷ୍ପତ୍ତି ସରିଥିଲା ଯେ ଆସନ୍ତାକାଲିଠୁ ସେମାନେ ସମୂହ ଛୁଟିରେ ଯିବେ । ହେଲେ ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଧାରଣାସ୍ଥଳରେ ପହଞ୍ଚିଥିଲେ । ଆଉ ଶିକ୍ଷକଙ୍କ ଦାବି ନେଇ ସେମାନେ ସକାରାତ୍ମକ ଥିବା ସେମାନେ କହିଥିଲେ । ଏହା ପରେ ଆନ୍ଦୋଳନରୁ ହଟିଥିଲେ ପ୍ରାଥମିକ ଶିକ୍ଷକ ।
ସୂଚନାନୁସାରେ,ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ଶିକ୍ଷକମାନେ ସମସ୍ତ ବିଷୟ ପଢ଼ାଉଛନ୍ତି । ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ସଂଘ କାର୍ଯ୍ୟରତ ।
ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏଯାଏ ତାହା କାର୍ଯ୍ୟକାରୀ ହୋଇନାହିଁ । ୪ ମାସ ବିତିଯାଇଥିଲେ ବି ସୁଦ୍ଧା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ବାହାରୁନାହିଁ ସରକାରୀ ନିର୍ଦ୍ଦେଶନାମା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସଂଘ । ସେଥିପାଇଁ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର୍ ପିଏମଜିରେ ଧାରଣା ଜାରି ରହିବ ବୋଲି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଚେତାବନୀ ଦେଇଥିଲା ।


