କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ
କଟକ : କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ । ଅବସରପ୍ରାପ୍ତ ଜିଲ୍ଲା ଜଜ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଟିମ୍ ଏସ୍ସିବି ମେଡିକାଲ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମେ ମେଡିକାଲ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରେ ପହଞ୍ଚି କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି ।
ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ କମିସନଙ୍କ ପକ୍ଷରୁ ଜଣାଇଦିଆଯାଇଛି । ଅଗ୍ନିକାଣ୍ଡ ଘଟଣାରେ କେଉଁମାନେ ଦାୟିତ୍ୱରେ ରହିଥିଲେ ଏବଂ ଅବହେଳା ପଛରେ ଯେଉଁମାନଙ୍କ ଭୂମିକା ରହିଛି, ଏ ସବୁ ଦିଗକୁ ନେଇ ବିଚାର ବିଭାଗୀୟ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଯାହାର ଆବଶ୍ୟକତା ପଡ଼ିବ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ କହିଛନ୍ତି ।
ପୂର୍ବରୁ କଟକ SCB ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜିଥିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କ ନେତୃତ୍ୱରେ ଏହି ଟିମ୍ ଏସସିବି ମେଡିକାଲ ପରିସରରେ ପହଞ୍ଚି ତଦନ୍ତ କରିଥିଲେ । ପ୍ରଥମେ ଟ୍ରମା ଆଇସିୟୁ ବୁଲି ଦେଖିବା ପରେ ଅନ୍ୟ ବିଭାଗ ଗୁଡିକର ନିରୀକ୍ଷଣ କରିଥିଲା ଟିମ୍ । ହେଲେ କ୍ୟାମେରା ଆଗରେ ଧାଡ଼ିଏ ବି କହିନଥିଲେ ଉନ୍ନୟନ କମିଶନର । ସେପଟେ କିନ୍ତୁ ଅଗ୍ନିଶମ ଆଇଜି ଉମାଶଙ୍କର ଦାସ କହିଥିଲେ, ତଦନ୍ତ ଚାଲିଛି, କିଛି କହିବାଟା ଠିକ୍ ହେବନାହିଁ ।
ସୂଚନାନୁସାରେ, ଗତ ମାର୍ଚ୍ଚ ମାସ ୧୬ ତାରିଖରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୨ ଜଣ ରୋଗୀଙ୍କ ଜୀବନ ଯାଇଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହି ଅଗ୍ନିକାଣ୍ଡ ଘଟଣାରେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ କୁମାର ଜେନାଙ୍କ ସମେତ ୪ ଜଣ ଅଧିକାରୀ ନିଲମ୍ବିତ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।




