ଓଡ଼ିଶାରେ ବଡ଼ ନିବେଶ କରିବେ JSW - POSCO
ଭୁବନେଶ୍ୱର : ଢେଙ୍କାନାଳ ରେ ହେବ JSW - POSCO ପ୍ଲାଣ୍ଟ । ପ୍ରସ୍ତାବିତ ପ୍ଲାଣ୍ଟ ରୁ ୬ ମିଲିଅନ ଟନର (MTPA) ଉଚ୍ଚ ମାନର ଫ୍ଲାଟ ଷ୍ଟିଲ ନିର୍ମିତ ହେବ । ଢେଙ୍କାନାଳ ଠାରେ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ଚିହ୍ନଟ ହୋଇ ସାରିଛି । ସେଠାରେ କମ୍ପାନି ପାଖରେ ପୂର୍ବରୁ ଜମି ଥିବା ଜେଏସ୍ଡବ୍ଲ୍ୟୁ ଜଣାଇଛି । ଏନେଇ ନୂଆଦିଲ୍ଲୀ ଠାରେ JSW - ପୋସ୍କୋ ମିଳିତ ଚୁକ୍ତି ହୋଇ ସାରିଛି । ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଉଭୟ କମ୍ପାନୀର ମିଳିତ ୫୦ ପ୍ରତିଶତ ଅଂଶଧନ ରହିବ । ୩୫ ହଜାର କୋଟି ଟଙ୍କା ନିବେଶ ହେବା ନେଇ ସୂଚନା ରହିଛି । ୨୦୩୧ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରହିଛି ।
ପୂର୍ବରୁ ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ନିର୍ମାଣ କରାଯିବ ବୋଲି ବ୍ୟାପକ ପ୍ରଚାର କରାଯାଉଥିଲା। କିନ୍ତୁ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଆଜି ସୂଚନା ଦିଆଯାଇଛି ଯେ ପ୍ରସ୍ତାବିତ କାରଖାନା ଢେଙ୍କାନାଳ ଜିଲ୍ଲାରେ ସ୍ଥାପନ କରାଯିବ। ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ସାଫ୍ରନ୍ ରିସୋର୍ସେସ୍ ଜରିଆରେ ଢେଙ୍କାନାଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ୨୦୨୫ରେ ଏହି କମ୍ପାନିକୁ ଜେଏସ୍ଡବ୍ଲ୍ୟୁ ଅଧିଗ୍ରହଣ କରିଥିଲା । ଜେଏସ୍ଡବ୍ଲ୍ୟୁ-ପୋସ୍କୋ ପ୍ରକଳ୍ପ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ବ ରଖୁଛି । କାରଣ ୫୨ ହଜାର କୋଟି ଟଙ୍କା ନିବେଶରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ବସାଇବା ପାଇଁ ୧୨ ବର୍ଷ ସଂଘର୍ଷ କରି ବିଫଳ ହୋଇଥିବା ପୋସ୍କୋ ପୁଣି ଥରେ ଓଡ଼ିଶା ଫେରୁଛି ।



