ଜିତୁ ମୁଣ୍ଡା ଘଟଣାର ପୁନରାବୃତ୍ତି, ପତ୍ନୀଙ୍କ ମୃତ୍ୟୁ ପରେ ବ୍ୟାଙ୍କ୍ରୁ ଟଙ୍କା ଉଠାଇ ପାରୁନାହାନ୍ତି ସ୍ୱାମୀ
ବଲାଙ୍ଗୀର : ପୁଣି ଆଉ ଏକ ଜିତୁ ମୁଣ୍ଡା ଘଟଣାର ପୁନରାବୃତ୍ତି। ମା' ଏବଂ ପତ୍ନୀଙ୍କ ମୃତ୍ୟୁ ପରେ ବ୍ୟାଙ୍କ ରୁ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ୱାମୀ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ ।
ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ସଦର ବେନ୍ଦେର ଗ୍ରାମରେ ରହୁଥିବା ଶ୍ୟାମ ଭଇଁସାଲଙ୍କ ସ୍ତ୍ରୀ ଡାଳିମ୍ବ ଭଇଁସାଲ ଗତ ୯ ମାସ ପୂର୍ବେ ମୃତ୍ୟୁ ବରଣ କରିଥିଲେ । ସେହିପରି ସେହି ଗାଁର ଗୋବର୍ଦ୍ଧନ ଶାଣ୍ଢଙ୍କ ମା ସମାରି ଶାଣ୍ଢଙ୍କ ମଧ୍ୟ ୨ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ଯାଏ ଉଭୟ ମୃତାଙ୍କ ନାମରେ ଲାଠୋର ସେଣ୍ଟ୍ରାଲ ବ୍ୟାଙ୍କରେ ରହିଥିବା ଆକାଉଣ୍ଟରେ ଥିବା ଜମା ଟଙ୍କାକୁ ଉଠାଇ ପାରୁ ନାହାନ୍ତି ସମ୍ପର୍କୀୟ। ଟଙ୍କା ଉଠାଣ ପାଇଁ ଶ୍ୟାମ ଏବଂ ଗୋବର୍ଦ୍ଧନ ବ୍ୟାଙ୍କରେ ଆବଶ୍ୟକ କାଗଜ ପତ୍ର ଦାଖଲ କରି ବାରମ୍ବାର ଦୌଡି ଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ଉଠାଇ ଦେଉ ନାହାନ୍ତି ବ୍ୟାଙ୍କ ଅଧିକାରୀ। ଗଣ ମାଧ୍ୟମକୁ ଖବର ଆସିବାରୁ ବ୍ୟାଙ୍କ ନିକଟରେ ମୃତା ଡାଳିମ୍ବଙ୍କ ୨୧ ହଜାର ଟଙ୍କା ତାଙ୍କ ସ୍ଵାମୀ ଶ୍ୟାମଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସମାରିଙ୍କ ଆକାଉଣ୍ଟରେ ଥିବା ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଉ ନାହିଁ।ବର୍ତ୍ତମାନ ସେ ନିରାଶ ହୋଇ ଆଉ ବ୍ୟାଙ୍କକୁ ଯାଉ ନଥିବା କହିଛନ୍ତି ।
ଏ ସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି ନୋମିନି ଆକାଉଣ୍ଟ ନଂ ଧରି ଶାଖାକୁ ଆସିଲେ ଆମେ ଟଙ୍କା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବୁ ।




