ଜିତୁ ମୁଣ୍ଡା ଘଟଣା , ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ
କେନ୍ଦୁଝର : ଟଙ୍କା ପାଇଁ ବ୍ୟାଙ୍କକୁ କଙ୍କାଳ ନେବା ଘଟଣା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମଲ୍ଲିପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ସୁଶାନ୍ତ ସେଠୀଙ୍କୁ ନିଲମ୍ବିତ କରାଯାଇଛି । ଏହି ସମ୍ବେଦନଶୀଳ ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ସଭାପତି ନବୀନ ପଟ୍ଟନାୟକ । ନବୀନ ଲେଖିଥିବା ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ । ଏହି ଘଟଣାରେ ସମ୍ପୃକ୍ତ ବ୍ରାଞ୍ଚ ମ୍ୟାନେଜରଙ୍କୁ ନିଲମ୍ବନ କରାଯିବା ସହ ପୀଡ଼ିତ ପରିବାରର କ୍ଲେମ ସେଟଲମେଣ୍ଟ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ଥାନୀୟ ପ୍ରଶାସନର ସହାୟତାରେ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ହେବା ପରେ, ମୃତ ଆକାଉଣ୍ଟଧାରୀଙ୍କ ଜମା ରାଶି ୧୯ ହଜାର ୪୦୨ ଟଙ୍କା ତାଙ୍କ ଆଇନଗତ ଉତ୍ତରାଧିକାରୀ ଜିତୁ ମୁଣ୍ଡା ଓ ଅନ୍ୟ ଦୁଇ ଜଣଙ୍କ ସପକ୍ଷରେ ପ୍ରଦାନ କରାଯାଇଛି ।
ଏହାସହ ଗ୍ରାହକମାନଙ୍କୁ ସ୍ୱଚ୍ଛ ଓ ସହାନୁଭୂତିପୂର୍ଣ୍ଣ ସେବା ଯୋଗାଇବା ପାଇଁ ବ୍ୟାଙ୍କ ତାର ସମସ୍ତ କ୍ଷେତ୍ରୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛି । କେନ୍ଦ୍ର ଆର୍ଥିକ ସେବା ବିଭାଗ ଦେଶର ସମସ୍ତ ୨୮ଟି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କକୁ କଡ଼ା ନିର୍ଦ୍ଦେଶ ଦେଇଛି । ଗ୍ରାମୀଣ, ଆଦିବାସୀ ଓ ଅବହେଳିତ ବର୍ଗର ଗ୍ରାହକମାନେ ଯେପରି ବ୍ୟାଙ୍କିଙ୍ଗ୍ ସେବା ପାଇବାରେ କୌଣସି ହଇରାଣ ନହୁଅନ୍ତି, ତାହା ନିଶ୍ଚିତ କରିବାକୁ କୁହାଯାଇଛି ।
ସୂଚନାନୁସାରେ, ଗତ ଏପ୍ରିଲ ୨୭ତାରିଖରେ କେନ୍ଦୁଝର ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ନିଜ ମୃତ ଭଉଣୀଙ୍କ ଜମାରାଶି ଉଠାଇବାକୁ ଭଉଣୀଙ୍କ କଙ୍କାଳ ବୋହି ଆଣିଥିଲେ ଜିତୁ ମୁଣ୍ଡା । ଜମାକାରୀଙ୍କ ଜମା ରାଶି ପ୍ରଦାନରେ ହୋଇଥିବା ଅହେତୁକ ବିଳମ୍ବକୁ ନେଇ ଓଡିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା । ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗତ ଜୁନ ୧୨ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ବାବଦରେ ଅବଗତ କରାଇଛନ୍ତି । ଚିଠିରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି, "ଏହି ଘଟଣାରେ ସମ୍ପୃକ୍ତ ବ୍ରାଞ୍ଚ ମ୍ୟାନେଜରଙ୍କୁ ନିଲମ୍ବନ କରାଯାଇଛି । ଏହା ସହ ପୀଡ଼ିତ ପରିବାରର କ୍ଲେମ୍ ସେଟଲମେଣ୍ଟ କରାଯାଇଛି ।




