ପରମ୍ପରା ଅନୁସାରେ ଶୁଦ୍ଧି ହେଲେ ଜିତୁ ମୁଣ୍ଡା
ପାଟଣା : ଜିତୁ ମୁଣ୍ଡାଙ୍କ ଘଟଣାରେ ଲଜ୍ଜିତ ହୋଇଥିଲା ସଭ୍ୟସମାଜ । କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍ରୁ ଟଙ୍କା ଉଠାଇବା ପାଇଁ ଭଉଣୀଙ୍କ କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କ ଯାଇ ଥିଲେ ଜିତୁ ମୁଣ୍ଡା । ଯାହାକି ଆମ ରାଜ୍ୟ ସହ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତେବେ ମୃତ ଭଉଣୀଙ୍କ କଙ୍କାଳ ଛୁଇଁଥିବାରୁ ଆଜି ପୁଣି ଥରେ ଶୁଦ୍ଧି ହେବେ ଜିତୁ । 'ହୋ' ଜନଜାତି ପ୍ରଥା ଅନୁସାରେ ଆଜି ପୁଣି ଥରେ ଜିତୁ ମୁଣ୍ଡାଙ୍କ ଭଉଣୀ କାଲରା ମୁଣ୍ଡାଙ୍କ ଏକାଦଶାହ ପାଳନ ହେଉଛି । ଆଜି ଦିନରେ ଜିତୁ ମୁଣ୍ଡା ପୁଣି ଥରେ ପବିତ୍ର/ଶୁଦ୍ଧି ହେବେ । କାରଣ ଜିତୁ ନିୟମ ଭାଙ୍ଗି ଭଉଣୀ କାର୍ଲା ମୁଣ୍ଡାଙ୍କ ଶବକୁ ସମାଧିରୁ ବାହାର କରିଥିଲେ । ଆଜି ୩ଟି କୁକୁଡ଼ା ସହ ଛେଳି ବଳି ଦେଇ ସେହି ରକ୍ତରେ ସ୍ନାନ କରି ଶୁଦ୍ଧି ହୋଇ ନିଜ ଇଷ୍ଟ ଦେବୀଙ୍କୁ ପୂଜା କରିପାରିବେ। ନଣ୍ଡା ହେବା ପରେ ଗାଁ ଲୋକ ଜାତି ବନ୍ଧୁ ଜ୍ଞାତି କୁଟୁମ୍ବଙ୍କୁ ଭୋଜି ଦେଇ ଆପାୟିତ କରିବେ । ଏଥି ସହ ଭଉଣୀ କାଲରା ମୁଣ୍ଡାଙ୍କ ସମାଧି ନିର୍ମାଣ ହେବ । ପୂର୍ବ ରୁ ପୂର୍ବ ପୁରୁଷଙ୍କ ମୃତ୍ୟୁ ପାଇଁ ୫ ଜଣଙ୍କ ପାଇଁ ପଥର ଜକା ହେବ ।
ଅନ୍ୟପଟେ, ଜିତୁଙ୍କୁ ମିଳିଥିବା ସହାୟତା ରାଶିରୁ ଭାଗ ନେବା ପାଇଁ ତାଙ୍କ ଭାଇ ଶଙ୍କର ମୁଣ୍ଡା , ଜିତୁଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳେ ଶଙ୍କର ମୁଣ୍ଡା ଏକ ବାଡ଼ି ଧରି ଜିତୁଙ୍କ ପିଛା କରି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଗ୍ରାମବାସୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଆସି ଜିତୁଙ୍କୁ ଉଦ୍ଧାର କରି ଘଟଣାର ସମାଧାନ କରିଥିଲେ ।



