ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଏବଂ ସିବିଆଇ ଜାଲରେ ଆରପିଏଫ୍‌ ଅଧିକାରୀ

ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଏବଂ  ସିବିଆଇ ଜାଲରେ ଆରପିଏଫ୍‌ ଅଧିକାରୀ
Samaya Live News Picture
Published On

ବାଲିଗୁଡା/ରାଉରକେଲା :  ପୁଣି ୨ ସରକାରୀ ଅଧିକାରୀଙ୍କ ଘରେ ତନାଘନା କରୁଛି ଭିଜିଲାନ୍ସ ଏବଂ ସିବିଆଇ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲିଗୁଡା ଆଇଟିଡିଏ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘରେ ଭିଜିଲାନ୍ସ  ଏବଂ ରାଉରକେଲା ଆରପିଏଫ୍ ଇନ୍ସପେକ୍ଟର କମଲେସ୍ ସମାଦାରଙ୍କ ଘରେ ଜାରି ରହିଛି ସିବିଆଇ ଚଢ଼ାଉ । ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଭୁବନେଶ୍ଵର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

ସେହିପରି ରାଉରକେଲା ଆରପିଏଫ୍ ଇନ୍ସପେକ୍ଟର କମଲେସ୍ ସମାଦାରଙ୍କ ରାଉରକେଲା ରେଲୱେ କଲୋନିର ଛୋଟା ପାର୍କ ନିକଟରେ ରହିଥିବା ସରକାରୀ ବାସଭବନ ଓ ରେଲୱେ ଷ୍ଟେସନ ନିକଟରେ ରହିଥିବା କାର୍ଯ୍ୟାଳୟରେ ଏକାସାଙ୍ଗେ ଚଢାଉ କରିଛି ସିବିଆଇ । ଘର ଓ କାର୍ଯ୍ୟାଳୟରେ ସିବିଆଇ ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି। ଏହାସହିତ ଇନ୍ସପେକ୍ଟର ଶ୍ରୀ ସମାଦାରଙ୍କ ପରିଚିତ ତଥା ଜଣେ ସପ୍ଲାୟରଙ୍କ ବାସଭବନରେ ମଧ୍ୟ ସିବିଆଇ ଚଢାଉ କରିଛି ।
ରାଉରକେଲା ରେଲୱେ ଷ୍ଟେସନ ପରିସରରେ ଅବୈଧ ବିକ୍ରୟ ଏବଂ ଅନ୍ୟାନ୍ୟ ଅଭିଯୋଗକୁ ରଫାଦଫା କରିବା ପାଇଁ ଟଙ୍କା ନେଣଦେଣ କରୁଥିବାର ଅଭିଯୋଗ ଆସିଥିଲା । ଏହି ସଙ୍ଗୀନ ଅଭିଯୋଗ ପରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଉଥିବା ସୂଚନା ମିଳିଛି।

Tags: