ଇସ୍କନ ଦି'ଫାଳ, ଶ୍ରୀ ମନ୍ଦିର ପ୍ରଶାସନକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ

ଇସ୍କନ ଦି'ଫାଳ, ଶ୍ରୀ ମନ୍ଦିର ପ୍ରଶାସନକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ
Samaya Live News Picture
Published On

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଦୁଇ ଫାଳ । ପୁରୀ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ । ନିର୍ଦ୍ଧାରିତ ତିଥିରେ ହିଁ ହେବ ରଥଯାତ୍ରା । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଓ ରଥଯାତ୍ରା ସମୟକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଗଜପତି ମହାରାଜଙ୍କ ଚିଠିର ଉତ୍ତର ଦେଇ ବେଙ୍ଗାଲୁରୁ ଇସ୍କନ ପୂର୍ଣ୍ଣ ସମର୍ଥନ କରିଛି । ଦୁଇ ଇସ୍କନ ସଂଗଠନ ମଧ୍ୟରେ ଭିନ୍ନମତ ଦେଖିବାକୁ ମିଳିଛି ।

ଶ୍ରୀ ଜଗନ୍ନାଥ ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୧ ଏପ୍ରିଲରେ ଲେଖିଥିବା ଚିଠିରେ ବେଙ୍ଗାଲୁରୁ ଇସ୍କନ ପକ୍ଷରୁ ଦିଆଯାଇଛି । ବେଙ୍ଗାଲୁରୁ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଏକ ପତ୍ର ଲେଖି ନିଜର ସ୍ପଷ୍ଟ ଆଭିମୁଖ୍ୟ ଜଣାଇଛନ୍ତି । ସେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗ୍ଲୋବାଲ ହରେକୃଷ୍ଣ ମୁଭମେଣ୍ଟର ସମସ୍ତ କେନ୍ଦ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୂଳ ପୀଠ ଦ୍ବାରା ଅନୁମୋଦିତ ନଅ ଦିନିଆ ସମୟସୀମା ମଧ୍ୟରେ ହିଁ ରଥଯାତ୍ରା ଆୟୋଜନ କରାଯିବ । ଏହା ସହିତ ନିର୍ଦ୍ଧାରିତ ତିଥିରେ ହିଁ ସ୍ନାନଯାତ୍ରା ନୀତି ସମ୍ପନ୍ନ କରାଯିବ । ଏହି ନିଷ୍ପତ୍ତି ସମସ୍ତ ସନାତନୀଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସେବାରେ ଏକଜୁଟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । 

ସେପଟେ, ସେ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ବେଙ୍ଗାଲୁରୁ ଇସ୍କନ, ପଶ୍ଚିମବଙ୍ଗର ମାୟାପୁରରେ ମୁଖ୍ୟାଳୟ ଥିବା ଅନ୍ୟ ଇସ୍କନ ସଂଗଠନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ୱାଧୀନ । ମାୟାପୁର ଇସ୍କନ ପ୍ରତିଷ୍ଠାନ ମୁମ୍ବାଇରେ ପଞ୍ଜୀକୃତ ହୋଇଥିବା ବେଳେ ବେଙ୍ଗାଲୁରୁ ଇସ୍କନ ସୋସାଇଟି କର୍ଣ୍ଣାଟକରେ ପଞ୍ଜୀକୃତ ଅଟେ । ସେଥିପାଇଁ ମାୟାପୁର ଇସ୍କନ କମିଟି ମୁମ୍ବାଇ ଦ୍ୱାରା ପରିଚାଳିତ, ଯେଉଁଠାରେ ବିଦେଶୀ ଭକ୍ତଙ୍କ ସଂଖ୍ୟା ଅଧିକ । କିନ୍ତୁ କର୍ଣ୍ଣାଟକ ଇସ୍କନ ପୁରୀ ଶ୍ରୀମନ୍ଦିରର ରୀତିନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ । ପୁରୀର ପ୍ରାଚୀନ ପରମ୍ପରା ରକ୍ଷା କରିବା ଦିଗରେ ଗଜପତି ମହାରାଜାଙ୍କ ନିରଳସ ସେବାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । 

Tags: