ଆଜିଠାରୁ ପୁରୀରେ ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ

ଆଜିଠାରୁ ପୁରୀରେ ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ
Samaya Live News Picture
Published On

ପୁରୀ :  ଆଜିଠାରୁ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ । ତିନି ଦିନ ଧରି ସମ୍ମିଳନୀ ଚାଲିବ । ଏଥିପାଇଁ ମଙ୍ଗଳବାର ରାତିରେ ୧୧ଟି ରାଷ୍ଟ୍ରର ପ୍ରତିନିଧି ପୁରୀ ପହଞ୍ଚି ସିପସରୁବାଲିର ଏକ ତାରକା ହୋଟେଲରେ ଅବସ୍ଥାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । 

ଜୁନ୍‌ ୪ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ । ଏହି ଅଧିବେଶନରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା, ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।

ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍‌ଆର୍‌ଡବ୍ଲୁଜି)ର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ବ୍ରାଜିଲ୍‌, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ  ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷକୁ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ଦାୟିତ୍ବ ଦିଆଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟର ସଫଳ ପରିଚାଳନା, ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା, ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି, ବିପର୍ଯ୍ୟୟର ପ୍ରାକ୍ ପ୍ରସ୍ତୁତି ଓ ଶୂନ୍ୟ ମୃତାହତ ଆଦି ବିଷୟରେ ତିନିଦିନ ଧରି ଆଲୋଚନା କରାଯିବ। ଏସବୁ କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ଓ ସଫଳତା ବିଷୟରେ ପ୍ରମାଣିତ ତଥ୍ୟ ଉପସ୍ଥାପନ କରାଯିବ। ଓଡ଼ିଶାର ପାରମ୍ପରିକ ପଦ୍ଧତିରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଛି। ଏହି ସମ୍ମିଳନୀକୁ ଦୃଷ୍ଟିରେ ରଖି ହୋଟେଲ ଚତୁଃପାର୍ଶ୍ବ ସମେତ ପୁରୀ ବାଇପାସ୍ ରାସ୍ତା, ସମୁଦ୍ର ବେଳାଭୂମିରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ବିଦେଶୀ ଅତିଥିଙ୍କୁ ସର୍ବୋତ୍କୃଷ୍ଟ ଆତିଥେୟତା ପ୍ରଦାନ ପାଇଁ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । ବିଦେଶୀ ପ୍ରତିନିଧିମାନେ ୪ ତାରିଖ ଅପରାହ୍ଣରେକୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ୫ରେ ରାମଚଣ୍ଡୀ ଓସୱାଲ ଯାଇ ମକଡ୍ରିଲ ଦେଖିବାର କାର୍ଯ୍ୟକ୍ରମ ରହିଛି । ସେଥିରୁ କେତେକ ପ୍ରତିନିଧି ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେମାନେ ସ୍ବର୍ଣ୍ଣାଭ ବେଳାଭୂମି ଦେଖିବାର କାର୍ଯ୍ୟକ୍ରମ ରହିଛି। ତେଣୁ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଦ୍ରି ବେଳାଭୂମିକୁ ପ୍ରସ୍ତୁତ କରାଯାଇଛି।

Tags: