ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ
ଉନ୍ନତି ହୁଡ଼ା ହେଲେ ମହିଳା ଚମ୍ପିୟାନ, ରନର୍ସ ଅପ ହେଲେ ଇସାରାଣୀ ବରୁଆ , ପୁରୁଷରେ ଚମ୍ପିୟାନ ହେଲେ କିରଣ ଜର୍ଜ
ଭୁବନେଶ୍ୱର/କଟକ : କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଉଦ୍ଯାପିତ ହୋଇଯାଇଛି।ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ୍ ଆଜି ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା।
ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ଫାଇନାଲ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇ ଚମ୍ପିୟାନ ଓ ରନର୍ସ ଅପ ଖେଳାଳୀଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ଖେଳାଯାଇ ଥିବା ପୁରୁଷ ଫାଇନାଲ ଖେଳରେ ଭାରତର କିରଣ ଜର୍ଜ ଇଣ୍ଡୋନେସିଆ ଖେଳାଳୀ ମହମ୍ମଦ ୟୁସୁଫଙ୍କୁ 21,-14,13-21 ଓ 21-16 ପଏଣ୍ଟର ତିନୋଟି ଗେମ୍ରେ ହରାଇ ଚାମ୍ପିୟନ ହୋଇଛନ୍ତି।
ମହିଳା ଫାଇନାଲରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା, ଇସାରାଣୀ ବରୁଆଙ୍କୁ ସିଧାସଳଖ 21-17,21-10 ପଏଣ୍ଟର ଦୁଇଟି ଗେମ୍ରେ ହରାଇ ଚମ୍ପିୟାନ ହୋଇଛନ୍ତି।
ମିକ୍ସଡ଼ ଡବଲସ ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ମାରୱାନ ଫାଜ଼ା ଓ ଆସ୍ୟାହ ପୂର୍ତ୍ତି ପ୍ରଣତା, ଡି.ଫେର୍ଡିନେନସି ଓ ବି. ୱାର୍ଡନାଙ୍କୁ ଦୁଇଟି ଗେମ୍ରେ ହରାଇ ଚମ୍ପିୟାନ ହୋଇଛନ୍ତି।
ସେହିପରି,ମହିଳା ଡବଲସ ବିଭାଗ ଫାଇନାଲ ମ୍ୟାଚ୍ ଟପସିଡ଼ ବୁଲଗେରିଆ ଯୋଡ଼ି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଚାମ୍ପିୟନ ହୋଇଛନ୍ତି।
ପୁରୁଷ ଡବଲସ ଫାଇନାଲ ମାଲେସିଆ ଯୋଡି କଂଗ ଖାଇ ଜିଙ୍ଗ ଓ ଏରୋନ ତାଇ ଇଣ୍ଡୋନେସିଆର ଅଲି ରେହନ ଓ ଦେଭିନ ଅର୍ଥା ୱାହୁଡିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଣ୍ଡୋନେସିଆ ଯୋଡି ମାଲେସିଆ ଯୋଡିଙ୍କୁ ତିନୋଟି ଗେମ୍ରେ ହରାଇ ଚମ୍ପିୟାନ ହୋଇଛନ୍ତି।




