୭ ଦିନ ଭିତରେ ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡ ସଂଶୋଧନ ପାଇଁ ନିର୍ଦେଶ
ଭୁବନେଶ୍ୱର : ଖୁବଶୀଘ୍ର ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡ ସଂଶୋଧନ କରିବାକୁ ନିର୍ଦେଶ । ରାଜ୍ୟରେ ଏପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ କିଛି ବ୍ୟବସାୟିକ ଲଗାଯାଇଥିବା ନାଁ ଫଳକ ସଠିକ ଓଡ଼ିଆ ଉଚ୍ଚାରଣ ସହ ସଂଶୋଧିତ ଇଂରାଜୀ ବନାନ ପରିବର୍ତ୍ତନ ହୋଇନାହିଁ । ସେଗୁଡ଼ିକୁ ଆସନ୍ତା ୭ ଦିନ ଭିତରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ । ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିର୍ଦ୍ଦିଷ୍ତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ସହ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏକ ଜରୁରୀ ପତ୍ର ଲେଖିଛନ୍ତି ଶ୍ରୀ ପାଢ଼ୀ ।
ଗତ ଜୁନ୍ ୨୨, ୨୦୨୬ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ ସରକାରୀ କାର୍ଯ୍ୟାଳୟ ପାଇଁ ଏକ ମାସ ଏବଂ ବେସରକାରୀ ତଥା ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଛଅ ମାସର ସମୟସୀମା ଧାର୍ଯ୍ୟ ହୋଇଥିଲା । ରାଜ୍ୟର କିଛି ସରକାରୀ ଅଫିସର ସାଇନବୋର୍ଡରେ ଏବେବି ପୁରୁଣା ଇଂରାଜୀ ବନାନ ବ୍ୟବହୃତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏପରି ଅସଙ୍ଗତି କ୍ୟାବିନେଟ୍ ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟକୁ ବାଧାପ୍ରାପ୍ତ କରୁଥିବାରୁ, ସମସ୍ତ ସରକାରୀ ଓ ବେସରକାରୀ ସ୍ଥାନନାମରେ ସମାନତା ବଜାୟ ରଖିବାକୁ ଏହି କଡ଼ା ପଦକ୍ଷେପ ନିଆଯାଇଛି ।




