୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଗେଟ
ନବରଙ୍ଗପୁର : ୭ ବର୍ଷ ପରେ ଖୋଲିଲା ଇନ୍ଦ୍ରାବତୀ ଗେଟ । ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜଳଭଣ୍ଡାରର ଗେଟ୍ ଖୋଲାଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଡ୍ୟାମର ୭ଟି ଗେଟ ମଧ୍ୟରୁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସନ ।
ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବା ବେଳେ ଗେଟ ଖୋଲିବା ସମୟରେ ଜଳସ୍ତର ରହିଥିଲା ୬୪୦.୨୯ ମିଟର । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଗେଟ ଖୋଲିବା ପୂର୍ବରୁ ୨୦୩.୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିଲା । ଏବେ ମୋଟ ୨୭୫.୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ଦିନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସମ୍ଭାବ୍ୟ ବର୍ଷାରେ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଅଧିକ ପାଣି ପ୍ରବେଶ କରିବାର ସମ୍ଭାବନା ଥିବାରୁ ଜଳସ୍ତର ନିୟନ୍ତ୍ରଣ ପାଇଁ ୬ ନମ୍ବର ଗେଟକୁ ୦.୫ ମିଟର ଖୋଲାଯାଇଛି । ଜଳସ୍ତର ୬୩୯.୬୦ ମିଟରକୁ ଆସିଲେ ଗେଟ୍ ବନ୍ଦ କରାଯିବ ବୋଲି ସୂଚନା ରହିଛି ।
ଇନ୍ଦ୍ରାବତୀ-କୋଲାବ ବେସିନ କାର୍ଯ୍ୟାଳୟ, ବାରିଣୀପୁଟର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବେଦାମ୍ବର ବେହେରାଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀମାନେ ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି । ଶେଷଥର ପାଇଁ ୨୦୧୯ରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ ଖୋଲାଯାଇଥିଲା ।




