ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ,ସୁରକ୍ଷାରେ ୪୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ
କଟକ : ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । କଡା ସୁରକ୍ଷା ବଳୟ ଭିତରେ ରହିବ ଷ୍ଟାଡିଅମ I ନିୟୋଜିତ ହେବେ ୪୦ ପ୍ଲାଟୁନ ଫୋର୍ସ I ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍ ଫୋର୍ସ ରହିବେ । ୬ ଜଣ ଏଡିସିପି, ୧୫ ଏସିପି, ଇନ୍ସ୍ପେକ୍ଟର ୪୦ ଜଣ, ଏସ୍ଆଇ ଓ ଏଏସ୍ଆଇ ୧୫୦ ଜଣ ନିୟୋଜିତ ହେବେ । ଏଥିପାଇଁ କମିସନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ।
ଆସନ୍ତା ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ୮ ତାରିଖ ଅପରାହ୍ଣରେ ବାରବାଟୀରେ ଅଭ୍ୟାସ କରିବେ । ତେଣୁ ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବାଠାରୁ ହୋଟେଲ୍ରେ ରହିବା, ହୋଟେଲ୍ରୁ ବାରବାଟୀ ଯିବା ଓ ଫେରିବା ସମୟରେ ସୁରକ୍ଷା ବ୍ୟବସ୍ଥା ସହ ଏହି ଟି-୨୦ ମ୍ୟାଚ୍କୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଆଜି ଓ ଆସନ୍ତାକାଲି ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍ ବିକ୍ରି କରାଯିବ । ୧୧ ହଜାର ଟିକେଟ୍ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ ।
ସେହିଭଳି ସ୍ପେଶାଲ ଏନ୍କ୍ଲୋଜର, ଏସି ବକ୍ସ, କର୍ପୋରେଟ୍ ବକ୍ସ ଇତ୍ୟାଦି ପାଇଁ ହର୍ସଗେଟ୍ ନିକଟରେ ଟିକେଟ ବିକ୍ରି ହେବ । ଏଠି ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର୍ ରହିବ । କାଉଣ୍ଟର୍ ଗୁଡ଼ିକରେ ଅଧିକ ବ୍ୟାରିକେଡ୍ ସହିତ ଯେଭଳି ଟିକଟ କଳାବଜାର ନହୁଏ ସେଥିପାଇଁ ପ୍ରାୟ ୫୦ ସିସି କ୍ୟାମେରା ଲାଗିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାରହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।


