ଭାରତର ଡିପ-ଟେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ - ଧର୍ମେନ୍ଦ୍ର ପ୍ରଧାନ
ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା
ନୂଆଦିଲ୍ଲୀ, ମେ ୧୩, ୨୦୨୬ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଇନୋଭେଟସ ୨୦୨୬ ଅନ୍ତର୍ଗତ ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ସେ ବିଶ୍ୱର ଶିଳ୍ପ ନେତୃବୃନ୍ଦ ଏବଂ ପ୍ରତିଷ୍ଠିତ ସଂସ୍ଥାଗତ ସହଯୋଗୀମାନଙ୍କ ସହ ଭାରତର ଡିପ-ଟେକ୍ ଏବଂ ଗବେଷଣାଭିତ୍ତିକ ଅଭିନବ ଚିନ୍ତାଧାରାକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଇନୋଭେସନ ଇକୋସିଷ୍ଟମ ଆଜି ଆଇଆଇଟି, ଆଇଆଇଏସସି ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ସମେତ ଦେଶର ଟାୟାର-୨ ଏବଂ ଟାୟାର-୩ ସହରର ପ୍ରତିଭାବାନ ଶକ୍ତିମାନଙ୍କ ଦ୍ୱାରା ପରିଚାଳିତ । ଏଆଇ, ସେମିକଣ୍ଡକ୍ଟର, କ୍ଲାଇମେଟ୍-ଟେକ୍, ମୋବିଲିଟି, ହେଲ୍ଥ-ଟେକ୍ ଏବଂ ଆଡଭାନ୍ସଡ୍ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏହି ପ୍ରତିଭାମାନେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛନ୍ତି ।
ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ପ୍ରଶ୍ନ ଭାରତ ଇନୋଭେସନ କରୁଛି କି ନାହିଁ ତାହା ନୁହେଁ, ବରଂ “ଭାରତ ସହିତ କିଏ ଇନୋଭେସନ କରିବ” ତାହା ଗୁରୁତ୍ୱପୂର୍ଣ୍ଣ । ଏହି ଦିଗରେ ଫ୍ରାନ୍ସ ଭାରତର ଏକ ପ୍ରମୁଖ ସହଭାଗୀ ଭାବେ ଉଭା ହୋଇଛି । ୨୦୨୬ ପ୍ରାରମ୍ଭରେ ସ୍ୱାକ୍ଷରିତ ହୋଇଥିବା 'ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତି'କୁ ଶ୍ରୀ ପ୍ରଧାନ “ସମସ୍ତ ଚୁକ୍ତିର ଜନନୀ” ଭାବେ ବର୍ଣ୍ଣନା କରିଛନ୍ତି । ଏହା ବିଶ୍ୱ ଜିଡିପିର ଏକ ଚତୁର୍ଥାଂଶ ଏବଂ ପ୍ରାୟ ୨୦୦ କୋଟି ଜନସଂଖ୍ୟାକୁ ସଂଯୋଗ କରୁଥିବା ଏକ ପରିବର୍ତ୍ତନକାରୀ ଆର୍ଥିକ ସହଯୋଗୀ ଭାବେ ସେ ଅଭିହିତ କରିଛନ୍ତି । ତେବେ ଆଗାମୀ ଦିନରେ ଫ୍ରାନ୍ସର ନିସ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ଭାରତୀୟ ଷ୍ଟାର୍ଟଅପ୍, ବିଶ୍ୱସ୍ତରୀୟ ପୁଞ୍ଜିନିବେଶକ ଏବଂ ଗବେଷଣା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ପ୍ରମୁଖ ଆନ୍ତର୍ଜାତୀୟ ପ୍ଲାଟଫର୍ମ ସାଜିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ‘ବିକଶିତ ଭାରତ’ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ-ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।



