ସଭ୍ୟତାକୁ ବୁଝିବା ପାଇଁ ଭାରତ ସବୁଠୁ ବଡ଼ ଉଦାହରଣ - ଧର୍ମେନ୍ଦ୍ର ପ୍ରଧାନ
ଆଇସିଏସଏସଆର ପ୍ରତିଷ୍ଠା ଦିବସ ଏବଂ ସିଆଇଆଇର ବାର୍ଷିକ ବ୍ୟବସାୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : ମଣିଷ ସମାଜ ଓ ସଂସ୍କୃତିକୁ ଜାଣିବା ପାଇଁ ଭାରତ ହେଉଛି ସବୁଠାରୁ ବଡ଼ ଉଦାହରଣ ବୋଲି ଆଜି ନୂଆଦିଲ୍ଲୀରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର)ର ୫୮ତମ ପ୍ରତିଷ୍ଠା ଦିବସ ଏବଂ ସିଆଇଆଇର ବାର୍ଷିକ ବ୍ୟବସାୟ ସମ୍ମିଳନୀ -୨୦୨୬ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦର ୫୮ତମ ପ୍ରତିଷ୍ଠା ଦିବସ ଅବସରରେ “ସାମାଜିକ ବିଜ୍ଞାନ ଗବେଷଣାର ବି-ଉପନିବେଶୀକରଣ: ଭାରତର ବୌଦ୍ଧିକ ଐତିହ୍ୟର ପୁନରୁଦ୍ଧାର” ବିଷୟବସ୍ତୁ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ମାନବ ସଭ୍ୟତାକୁ ବୁଝିବା ପାଇଁ ଏକ ଜୀବନ୍ତ ଗବେଷଣାଗାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଜି ଟି.ବି ମାକାଉଲେ ଚିନ୍ତାଧାରାରୁ ମୁକ୍ତ ହୋଇ ନିଜର ସାଂସ୍କୃତିକ ଚେତନା ଓ ବୌଦ୍ଧିକ ପରମ୍ପରାକୁ ବିଶ୍ୱ ଦରବାରରେ ସ୍ଥାପିତ କରୁଛି । ତେବେ ଆମକୁ ସୋମନାଥ ମନ୍ଦିରର ପୁନର୍ନିମାଣ ପରି ଭାରତର ଆତ୍ମଗୌରବ ଓ ଜାତୀୟ ଚେତନାକୁ ସାମାଜିକ ବିଜ୍ଞାନର ନୂଆ ପରିଭାଷାରେ ଯୋଡ଼ିବାକୁ ହେବ । ‘ବିକଶିତ ଭାରତ ୨୦୪୭’ ପାଇଁ ଭାରତୀୟ ଜ୍ଞାନ ପରମ୍ପରାକୁ ଆଧୁନିକ ପ୍ରସଙ୍ଗରେ ଉପସ୍ଥାପନ କରିବା ଜରୁରୀ ବୋଲି ସେ ମତପ୍ରକାଶ କରିଛନ୍ତି ।
ସେହିପରି ସିଆଇଆଇ ବାର୍ଷିକ ବ୍ୟବସାୟ ଶିଖର ସମ୍ମିଳନୀରେ ‘ଶିକ୍ଷା, ଦକ୍ଷତା ବିକାଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭା’ ଅଧିବେଶନକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ରରେ ହେଉଥିବା ବୈପ୍ଳବିକ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ, ଷଷ୍ଠ ଶ୍ରେଣୀରୁ ଦକ୍ଷତା ଭିତ୍ତିକ ଶିକ୍ଷା ଏବଂ କ୍ରେଡିଟ୍-ଆଧାରିତ ଏକାଡେମିକ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ବୈଶ୍ୱିକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରୁଛି । ମହିଳା ସଶକ୍ତିକରଣକୁ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି । ଗବେଷଣା ଓ ବିକାଶ ଏବଂ ଭିତ୍ତିଭୂମି ବିକାଶରେ ସରକାରୀ ପୁଞ୍ଜିନିବେଶ ସହ ଶିଳ୍ପ ଜଗତର ଅଧିକ ସହଭାଗିତା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏକ ଦକ୍ଷ, ସାକ୍ଷର ଏବଂ ନବସୃଜନ-ଆଧାରିତ ଭାରତ ଗଠନ ପାଇଁ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ଜଗତ ମଧ୍ୟରେ ଏକ ଦୃଢ଼ ସାଧାରଣ ସହଭାଗିତା ଆବଶ୍ୟକ । ଏହା କେବଳ ଭାରତର ଆଶା ପୂରଣ କରିବ ନାହିଁ, ବରଂ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିବ । ଶିକ୍ଷା କ୍ଷେତ୍ରରେ ସରକାରୀ ପୁଞ୍ଜିନିବେଶ ସହ ଶିଳ୍ପ ଜଗତର ସକ୍ରିୟ ସହଭାଗିତା ଜରୁରୀ । ବିଶେଷ କରି ଗବେଷଣା ଓ ବିକାଶ, ଭିତ୍ତିଭୂମି ବିକାଶ, ପୁଷ୍ଟିଯୁକ୍ତ ଖାଦ୍ୟ ଏବଂ ନବସୃଜନ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ସହଯୋଗ ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିପାରିବ ।
ଏହି କାର୍ଯ୍ୟକ୍ରମରେ ସଫଳ ମହିଳା ଅଧିକାରୀମାନଙ୍କୁ ‘ୱିମେନ ଏକଜେମ୍ପଲାର ଆୱାର୍ଡ’ ମାଧ୍ୟମରେ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ସିଆଇଆଇର ପ୍ରୟାସକୁ ପ୍ରଶଂସା କରିଥିଲେ ।



