ବୈଷୟିକ ଶିକ୍ଷା କ୍ଷେତ୍ରରେ ବଢ଼ିଲା ସଂରକ୍ଷଣ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଉପହାର । ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ବଢିଲା ସଂରକ୍ଷଣ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗଙ୍କ ପାଇଁ ବୃଦ୍ଧି ହେଲା ସଂରକ୍ଷଣ । ଚଳିତ ଶିକ୍ଷାବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଲାଗୁ ହେବ ସଂରକ୍ଷଣ । ଏନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ମେମୋରାଣ୍ଡମ ପ୍ରକାଶ ପାଇଛି । ୨୪ବର୍ଷ ମଧ୍ୟରେ ବିଜେଡି ସରକାର ଯାହା କରିପାରି ନଥିଲା ୨ବର୍ଷ ବିଜେପି ସରକାରରେ ଏହା ସମ୍ଭବପର ହୋଇପାରିଛି ।
ଓଡିଶାରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୨୨.୮୫ ପ୍ରତିଶତ ଓ ଅନୁସୂଚିତ ଜାତିଙ୍କ ସଂଖ୍ୟା ୧୭.୧୩ ପ୍ରତିଶତ । ନୂଆ ନିଷ୍ପତ୍ତିରେ ଏଣିକି ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ହାର ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି ।
ପୂର୍ବରୁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ନଥିବା ବେଳେ, ବର୍ତ୍ତମାନ ଏହା ୧୧.୨୫ ପ୍ରତିଶତ ହୋଇଛି । ଏହି ସବୁ ବର୍ଗର ଛାତ୍ରଛାତ୍ରୀମାନେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍ ନିକ୍ ଗୁଡିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିଅରିଂ, ଟେକ୍ନୋଲୋଜି, ମ୍ୟାନେଜ୍ ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସି, ଆନୁସଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍ସେସ୍, ଆର୍କିଟେକ୍ ଚର୍, ପ୍ଲାନିଙ୍ଗ୍ , ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ ।



