ପିଏମଓ ରୁ ଫାଇଲ ହଜିବା ଘଟଣା, ହାଇକୋର୍ଟ ରେ ମାମଲା

ପିଏମଓ ରୁ ଫାଇଲ ହଜିବା ଘଟଣା, ହାଇକୋର୍ଟ ରେ ମାମଲା
Samaya Live News Picture
Published On

କଟକ : ହାଇକୋର୍ଟରେ ପହଁଚିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ହଜିବା ଘଟଣା । ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ଜଷ୍ଟିସ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ହଜିଯିବା ଘଟଣାକୁ ନେଇ ବୁଧବାର ଦିନ ହାଇକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି । ଆବେଦନରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ଦେବାଶିଷ ହୋତା  । 

ଆବେଦନରେ ଦର୍ଶାଯାଇଛି ,ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଗଠିତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହଜିଯିବା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଏକ ଗୁରୁତର ବିଷୟ । ଏଥିରେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ାଯିବା ସହ ସମଗ୍ର ମାମଲାର ନୂତନ ଭାବେ ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। କୋର୍ଟ ଆଗାମୀ ଶୁଣାଣି ସମୟରେ ଏହି ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ବିଚାର କରିପାରନ୍ତି ବୋଲି ଜଣାପଡ଼ିଛି। 

ଫାଇଲ ହଜିବା ଘଟଣାକୁ ନେଇ ଗତ ଜୁନ୍ ୨୦ ତାରିଖରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।  ହଜିଥିବା ରିପୋର୍ଟ ହେଉଛି ବିଶ୍ୱ ହିନ୍ଦୁ ପରିଷଦ ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ତଦନ୍ତ ରିପୋର୍ଟ ଏବଂ ୨୦୧୬ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ଆରଡିସି ତଦନ୍ତ ରିପୋର୍ଟ । କ୍ୟାପିଟାଲ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ୬୧(୨)(ବି)ରେ ଏକ ମାମଲା ରୁଜୁ କରାଯାଇଛି । କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍ ରୁଜୁ ହେବା ପରେ, ତଦନ୍ତକାରୀ ଦଳ ସଚିବାଳୟରେ ପହଞ୍ଚି ମୁଖ୍ୟ ଶାସନ ସଚିବ ଏବଂ ସାଧାରଣ ପ୍ରଶାସନ ବିଭାଗର ସରକାରୀ ଦସ୍ତାବିଜ ଓ ରେକର୍ଡପତ୍ର ଯାଞ୍ଚ କରିଛନ୍ତି।

Tags: