ଶ୍ରୀ ମେଟାଲିକରେ ଅଘଟଣ, ୩ ଶ୍ରମିକଙ୍କ ମୃତ୍ୟୁ
ଅନୁଗୁଳ : ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ । ଅନୁଗୋଳ ନିଶା ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ମେଣ୍ଟେନାନ୍ସ ବେଳେ ଚାପି ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବା ସୂଚନା ମିଳିଛି । କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ହିନ୍ଦୋଳନ ମେଡିକାଲକୁ ନିଆଯାଇଥିଲା । ତେବେ କଟକ ସ୍ଥାନାନ୍ତର ପୂର୍ବରୁ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ତିନିଜଣ ହେଲେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ଗ୍ରାମର ୩୭ବର୍ଷୀୟ ଶ୍ରୀଧର ବେଗୁନ ଓ ୩୭ବର୍ଷୀୟ ମଣ୍ଟୁ କମାର, ଅନ୍ୟ ଜଣେ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ୪୦ବର୍ଷୀୟ ମଙ୍ଗଳ ମାଝୀ । ଦୁର୍ଘଟଣା ସ୍ଥଳରେ ୬ଜଣ ଶ୍ରମିକ କାମ କରୁଥିଲେ । ତେବେ ଅନ୍ୟ ୩ଜଣ ସୁରକ୍ଷିତ ଥିବା ସୂଚନା ମିଳିଛି।
ଅଘଟଣ ପରେ ଶ୍ରୀମେଟାଲିକ କାରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଶ୍ରମିକ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ଉଠିଛି । କିଲନ୍ ରେ କାମ କରିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ସେଥିରେ ଅବହେଳା ହୋଇଥିଲା କି ନାହିଁ । ମୃତ୍ୟୁର ପ୍ରକୃତ କାରଣ କଣ, କେମିତି ଏହି ଅଘଟଣ ଘଟିଲା ଏବଂ ଏଥିପାଇଁ ଦାୟୀ କିଏ ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ପ୍ରଶାସନ ପକ୍ଷରୁ ତଦନ୍ତର ଆବଶ୍ୟକତା ରହିଛି ।




