ଟିକେଟ ଖଣ୍ଡିଏ ପାଇଁ କାଉଣ୍ଟର ଆଗରେ,ଠେଲାପେଲା ସ୍ଥିତି
କଟକ : ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଯାଉଛି ଭାରତ-ଦକ୍ଷୀଣ ଆଫ୍ରିକା ଟି-୨୦ ଦିନିକିଆ ମ୍ୟାଚ I ଟିକେଟ୍ ପାଇଁ କାଉଣ୍ଟର ସାମ୍ନାରେ ଲାଗିଛି ଲମ୍ବା ଲାଇନ । କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ଟିକେଟ୍ ଖଣ୍ଡିଏ ପାଇଁ ରାତିରୁ ଲାଇନରେ ରହିଛନ୍ତି ଆଶାୟୀ ।
ଗୁରୁବାର ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଛନ୍ତି । ଖାଲି ପୁରୁଷ ନୁହେଁ ଟିକେଟ୍ କିଣିବା ପାଇଁ ଝିଅ ଓ ବୟସ୍କ ମହିଳାମାନେ ବି ରାତିରୁ ଲଗାଇଛନ୍ତି ଲମ୍ବା ଲାଇନ୍ । ପରେ ସ୍ଥିତି ସାଂଘାତିକ ହୋଇଥିଲା । ଭିଡ ଏତେ ଯେ ଠେଲାପେଲା ପରିସ୍ଥିତି ବି ଦେଖାଯାଇଛି । ଲୋକଙ୍କୁ ଘଉଡାଇବାକୁ ଯାଇ ନାକେଦମ୍ ହୋଇଛି ପୋଲିସ । ପରିସ୍ଥିତି ଅଣାୟତ ହେବାରୁ ଟିକେଟ୍ କାଉଁଟର ବାହାରେ ବାଉଁଶରେ ବ୍ୟାରିକେଡ଼ କରାଯାଇଛି । ଅସମ୍ଭାଳ ଭିଡ଼କୁ ନଜରରେ ରଖି ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡ଼ିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି ।
ଅନ୍ୟପଟେ,ଆସନ୍ତା ୭ ତାରିଖ ଦିନ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ଵରଠାରେ ପହଞ୍ଚିବେ । ୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମଠାରେ ଉଭୟ ଦଳ ଅଭ୍ୟାସ କରିବେ ଏବଂ ୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବ । ବିମାନବନ୍ଦର, ମ୍ୟାଚ ପାଇଁ ହୋଟେଲ ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ଏବଂ ଖେଳାଳିଙ୍କ ଯାତାୟାତ ରାସ୍ଥା ଆଦି ସମସ୍ତ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟାଡିୟମ୍ ଭିତରେ ଓ ବାହାରେ ଶୃଙ୍ଖଳିତ ଆୟୋଜନ ଓ ଭୁବନେଶ୍ଵରରୁ କଟକ ପର୍ଯ୍ୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନହେବ ସେଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି ।


