ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
ନୁଆଦିଲ୍ଲୀ : ଗ୍ୟାସ୍ ସଙ୍କଟ ନେଇ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ସାମିଲ ହେବେ ଓଡ଼ିଶା ସମେତ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ । ଯୁଦ୍ଧ ସ୍ଥିତି ଏବଂ ଦେଶରେ ଦେଖାଦେଇଥିବା ଗ୍ୟାସ୍ ସଙ୍କଟର ସମାଧାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଆଲୋଚନାରେ ସାମିଲ ହେବେ ।
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ବିପଦକୁ ଦେଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍ ବୈଠକରେ ଆଲୋଚନା କରିଥିଲେ। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ପିଏମ୍ ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ। "ଆମ ସମସ୍ତଙ୍କୁ ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ ପଡ଼ିବ ।" ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ସଂକଟକୁ ନେଇ ଦେଶରେ ଲକଡାଉନ୍ ଲାଗୁ ହେବ ନାହିଁ ।
ସେହିପରି ଦେଶରେ ପେଟ୍ରୋଲିୟମ ଉତ୍ପାଦ ଏବଂ ଗ୍ୟାସର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଭାସୀ ମାଧ୍ୟମରେ ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ଓଡିଶା,ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସଂଜୟ କୁମାର ସିଂ ଏବଂ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।



