ପରିବେଶ ଅଶାନ୍ତ ହେଲେ ,ନିର୍ବାଚନ ସମ୍ପର୍କରେ କଲେଜ ନିଷ୍ପତି ନେବ - ମନ୍ତ୍ରୀ
ଭୁବନେଶ୍ୱର : କଲେଜ ଶାନ୍ତ ପରିବେଶ ନଥିଲେ, ନିର୍ବାଚନ ହେବ ନା ନାହିଁ ସେ ନିଷ୍ପତ୍ତି କଲେଜ ନେବ । ଏକାଡେମିକ ଏରିୟରେ ଥିଲେ ନିର୍ବାଚନରେ ଭାଗ ନେଇ ହେବନି । ଅଣଛାତ୍ର ବା ଯିଏ କଲେଜ ସହ ଜଡିତ ସେମାନେ କ୍ୟାମ୍ପସରେ ରହିବେ ନାହିଁ । ନିୟମ ଭାଙ୍ଗିଲେ ଦଣ୍ଡ ମିଳିବ । ଯେଉଁ ଛାତ୍ରଛାତ୍ରୀ ଲାଇବ୍ରେରୀରୁ ବହି ନେଇ ଫେରାଇ ନଥିବେ କି NOC ନେଇ ନଥିବେ ସେମାନେ ନିର୍ବାଚନରେ ଭାଗ ନେଇପାରିବେ ନାହିଁ । କଲେଜ ନିର୍ବାଚନକୁ ସୁରୁଖୁରୁରେ କରିବା ନେଇ କିଛି ଏପରି ଚେତାବନୀ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେହିପରି ନିର୍ବାଚନରେ ଲିଙ୍ଗଡୋ କମିଶନଙ୍କ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କହିଛନ୍ତି, ଗଣତନ୍ତ୍ର ସମ୍ପର୍କରେ କଲେଜ ପିଲାମାନଙ୍କୁ ବିଶେଷ ଅନୁଭବ ପ୍ରଦାନ କରିବା ଲାଗି ନିର୍ବାଚନ କରାଯାଉଛି । ଭବିଷ୍ୟତର ନେତା ସୃଷ୍ଟି କରିବା ପାଇଁ ଛାତ୍ର ସଂସଦ ନିର୍ବାଚନ ଜରିଆରେ ଗଣତନ୍ତ୍ରର ଶିକ୍ଷା ଦିଆଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କଲେଜ ନିର୍ବାଚନ ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । କିନ୍ତୁ ଏଥିପାଇଁ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ନିହାତି ଜରୁରୀ ବୋଲି ସେ କଲେଜ ଛାତ୍ର ସମାଜକୁ ପରାମର୍ଶ ଦେଇଛନ୍ତି ।
ସେପଟେ, କଲେଜ କ୍ୟାମ୍ପସରେ ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ ସଚିବ ଅରବିନ୍ଦ ଅଗ୍ରୱାଲ ମତପ୍ରକାଶ କରିଛନ୍ତି । କଲେଜ ଗୁଡିକରେ ଯେଭଳି ଭାବରେ ହିଂସାକୁ ନ ଆପଣାଇ ସୁପାରିଚାଲନା ବ୍ୟବସ୍ଥାରେ ନିର୍ବଚନ କରିବା । ବିଭିନ୍ନ ପ୍ରକାରର ଦିଗକୁ ନଜର ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ,ଛାତ୍ର ସଂସଦ ନିର୍ବାଚନକୁ ନେଇ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି,"ଆଜି ରାଜ୍ୟର ସମସ୍ତ ଏସପିମାନଙ୍କୁ ନେଇ ଏକ ବୈଠକ କରାଯିବ । ଏହି ବୈଠକ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ହେବ । କଲେଜ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । କ୍ୟାମ୍ପସ ଗୁଡିକରେ ଯେପରି ବାହାର ଲୋକଙ୍କର ହସ୍ତକ୍ଷେପ ନ ରହିବ ତାହା ଉପରେ ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଅପରାଧ ଭଳି ବ୍ୟବହାର ନକରିବାକୁ ନିବେଦନ କରୁଛୁ । ଅମାନିଆ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ବାଟକୁ ଆଣିବାକୁ ପୋଲିସକୁ ପରାମର୍ଶ ଦିଆଯାଇଛି । " ବାହାର ହସ୍ତକ୍ଷେପ ନ ରହିଲେ ନିର୍ବାଚନ ଶୃଙ୍ଖଳିତ ଭାବରେ ପରିଚାଳନା ହୋଇ ପାରିବ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।




