ସୁସ୍ଥ ହେଲେ ମହାପ୍ରଭୁ, ଆସନ୍ତା କାଲି ନବଯୌବନ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ

ସୁସ୍ଥ ହେଲେ ମହାପ୍ରଭୁ, ଆସନ୍ତା କାଲି ନବଯୌବନ ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
Samaya Live News Picture
Published On

ପୁରୀ : ଅଣସର ପିଣ୍ଡି ଛାଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ଜ୍ବରରେ ପୀଡିତ ହୋଇ ଅଣସର ଗୃହରେ ବିଶ୍ରାମ ନେଉଥିଲେ ମହାପ୍ରଭୁ । ଖଳିଲାଗି ଏକାଦଶୀରେ ଶ୍ରୀଜୀଙ୍କ ଠାରେ ଦଶମୂଳ ମୋଦକ ଲାଗି ପରେ ଧୀରେ ଧୀରେ ସୁସ୍ଥ ହୋଇଛନ୍ତି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବାରେ ଘଣାଲାଗି ଓ ଶ୍ରୀପୟର ମୁଦା ଉପଲକ୍ଷେ ପାଟଡ଼ୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ। 

ଦଶମୀ ତିଥିରେ ଚକାବିଜେ ନୀତି ଏବଂ ଏକାଦଶୀରେ ଖଳି ଓ ତୁଳସୀ ଲାଗି ସହ ଦଶମୂଳ ମୋଦକ ଅର୍ପଣ କରାଯାଇଥିଲା । ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରର ସେବକମାନେ ରୂପା ଥାଳିରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ଧରି ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିଥିଲେ। ସେଠାରେ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଶ୍ରୀମନ୍ଦିର ପରମ୍ପରାରେ ଏହି ବିଶେଷ ନୀତିକୁ 'ରାଜପ୍ରସାଦ ବିଜେ ନୀତି' ବୋଲି କୁହାଯାଏ। ଘଣ୍ଟ, ଛତା, କାହାଳୀ ସହ ଖଳି ପ୍ରସାଦ ଅଣସର ସୁଦ୍ଧସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ ।

ଆଜି ଅଣସର ତ୍ରୟୋଦଶୀ ଦିନ। ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ । ବଡ଼ସିଂହାର ଧୂପ ପରେ ପଣା ଓ ଚକଟା ଭୋଗ ସରିବା ପରେ ଦତ୍ତ ମହାପାତ୍ର ଭୂମି ମାପକରି ବନକ ଲାଗି କରାଯିବ । ମଙ୍ଗଳ ଆଳତି, ଅବକାଶ ନୀତି ପରେ ନବଯୌବନ ଦର୍ଶନ ହେବ।

 

Tags: