ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବ ଇଡ୍କୋ:୩୭ଟି ପ୍ରକଳ୍ପକୁ ଜମି ବଣ୍ଟନ କମିଟିର ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ବ୍ୟବସାୟିକ ଅନୁକୂଳ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇଡକୋ (IDCO) ଜମି ବଣ୍ଟନ କମିଟି (LAC) ପକ୍ଷରୁ ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷ ଉଷା ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି ।
ଓଡ଼ିଶାକୁ ଏକ ଦ୍ରୁତଗତିଶୀଳ, ପ୍ରତିଯୋଗିତାମୂଳକ ଓ ନିବେଶ-ଅନୁକୂଳ ଶିଳ୍ପ ଗନ୍ତବ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ବୃହତ ଶିଳ୍ପ ନିବେଶ ସହ ଏମ୍ ଏସ୍ ଏମ୍ ଇ କ୍ଷେତ୍ରର ବିସ୍ତାର, ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଏବଂ ସମାବେଶୀ ଓ ଆଞ୍ଚଳିକ ଭାରସାମ୍ୟପୂର୍ଣ୍ଣ ଶିଳ୍ପ ବିକାଶକୁ ଅଧିକ ଗତି ମିଳିବ ।
ଜମି ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ଶୀଘ୍ର ଫଇସଲା ଇଡ୍କୋର ସମୟବଦ୍ଧ ନିଷ୍ପତ୍ତି ଗ୍ରହଣ, ସୁଦୃଢ଼ ଜମି ପରିଚାଳନା ଏବଂ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି ପ୍ରତି ଏହାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଶୀଘ୍ର ପ୍ରକ୍ରିୟାକରଣ ଓ ସମୟବଦ୍ଧ ଅନୁମୋଦନ ମାଧ୍ୟମରେ ବୃହତ ଶିଳ୍ପ ସହ ଉଦୀୟମାନ ଉଦ୍ୟୋଗ ଏବଂ ଏମ୍ ଏସ୍ ଏମ୍ ଇ ଗୁଡ଼ିକ ପାଇଁ ଏକ ଅଧିକ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ସୁଗମ ଶିଳ୍ପ ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି।
କେବଳ ପ୍ରଶାସନିକ ଅନୁମୋଦନରେ ସୀମିତ ନ ରହି ପ୍ରକଳ୍ପଗୁଡ଼ିକର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ଉପରେ ମଧ୍ୟ ଇଡ୍କୋ ବିଶେଷ ଗୁରୁତ୍ୱ ଦେଉଛି। ଶ୍ରୀମତୀ ପାଢ଼ୀଙ୍କ ନେତୃତ୍ୱରେ ଖୋର୍ଦ୍ଧା, କଟକ ଓ କଳିଙ୍ଗନଗର ସମେତ ବିଭିନ୍ନ ରଣନୈତିକ ଶିଳ୍ପ କରିଡର ଏବଂ ଶିଳ୍ପାଞ୍ଚଳରେ ନିୟମିତ କ୍ଷେତ୍ର ପରିଦର୍ଶନ ଓ ସ୍ଥଳସ୍ତରୀୟ ସମୀକ୍ଷା କରାଯାଉଛି।
ଏହି ପରିଦର୍ଶନ ସମୟରେ ଜମି ଉନ୍ନୟନ ଓ ସମତଳୀକରଣ, ମାଷ୍ଟର ପ୍ଲାନିଂ, ବିଦ୍ୟୁତ ଓ ଜଳ ଯୋଗାଣ, ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ମାଲ ପରିବହନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଶିଳ୍ପ ଭିତ୍ତିଭୂମିର ସ୍ଥିତିକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରାଯାଉଛି । ପ୍ରଶାସନିକ ଅନୁମୋଦନ ଏବଂ ପ୍ରକଳ୍ପର ପ୍ରକୃତ କାର୍ଯ୍ୟାନ୍ୱୟନ ମଧ୍ୟରେ ଥିବା ବ୍ୟବଧାନକୁ କମାଇବା ଏହି କ୍ଷେତ୍ରସ୍ତରୀୟ ତଦାରଖର ମୁଖ୍ୟ ଉଦ୍ଦେଶ୍ୟ ।




